କୋର୍ଟ ପରିସରରେ ଜୀବନ ହାରିବାକୁ ଉଦ୍ୟମ : ବିଷ ପିଇଦେଲେ ମହିଳା ଆଇନଜୀବୀ; ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ନେଇ ୨୦୧୨ରୁ ପରିବାର ଅଦାଲତରେ ଚାଲିଛି ମାମଲା

137

କନକ ବ୍ୟୁରୋ : ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ ନେଇ ଅସନ୍ତୋଷ । ଆଇନକାନୁନକୁ ନେଇ ଲଢେଇ କରୁଥିବା ଜଣେ ମହିଳା ଓକିଲ ବିଳମ୍ବିତ ବିଚାର ପ୍ରକ୍ରିୟାରେ ଅତିଷ୍ଠ ହୋଇ କୋର୍ଟ ପରିସରରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ବାଲେଶ୍ୱର ପରିବାର ଅଦାଲତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଂପୃକ୍ତ ଆଇନଜୀବୀଙ୍କୁ ବାଲେଶ୍ୱର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଆଇନଜୀବୀ ରାଜଶ୍ରୀ ବାରିକ ଓ ତାଙ୍କ ସ୍ୱାମୀ ସନାତନ ବାରିକଙ୍କ ମଧ୍ୟରେ ୨୦୧୨ ମସିହାରୁ ବିବାହ ବିଚ୍ଛେଦ ମାମଲା ବିଚାରାଧୀନ ଅଛି ।

ବାଲେଶ୍ୱର ପରିବାର କୋର୍ଟରେ ଏହି ମାମଲା ଚାଲିଛି । ଦିନ ପରେ ଦିନ ଗଡୁଥିଲେ ବି ସମାଧାନର ବାଟ ବାହାରିପାରିନଥିଲା । ଗତକାଲି ପରିବାର ଅଦାଲତରେ ମାମଲାର ଶୁଣାଣି ଥିଲା । ଠିକଣା ସମୟରେ ସ୍ୱାମୀ, ସ୍ତ୍ରୀ ହାଜର ବି ହୋଇଥିଲେ । ରାଜଶ୍ରୀ ଓକିଲ ହୋଇଥିବାରୁ ନିଜ ମାମଲା ନିଜେ ଲଢୁଥିଲେ । କାଠଗଡାରେ ନିଜ ସ୍ୱାମୀଙ୍କୁ ଜେରା ବି କରିଥିଲେ । କୋର୍ଟ କାର୍ଯ୍ୟ ସରିଯାଇଥିଲା । ଏହାପରେ ବିଷ ପିଇ ଦେଇଥିଲେ ରାଜଶ୍ରୀ । ଘଟଣା ବାବଦରେ ଜଣାପଡିବା ପରେ ରାଜଶ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।