ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେଲା ଗଭୀର ଅବପାତ : ୧୨ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବ ‘ଅସାନି’

166

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ରୂପ ନେଲା ଗଭୀର ଅବପାତ । ୧୨ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ହଜାରେ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୯୪୦ କିଲୋମିଟର ଦୂରରେ ରହିଛି ।

୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଂଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳ ଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା । ତେଣୁ ଓଡ଼ିଶାକୁ ଯେଉଁ ବାତ୍ୟା ଭୟ ଥିଲା, ବର୍ତମାନର ପୂର୍ବନୁମାନ ଅନୁସାରେ ସେହି ଭୟ ଟଳିଯାଇଛି ।