ବଡ଼ ମେଡିକାଲର ବଡ଼ ସତ: ଇଟା ପଥର ତଳେ ରୋଗୀଙ୍କ ଜୀବନ !

ନିର୍ଜୀବ ପଥର ସାଜିଛି ସଜୀବ ସମ୍ପର୍କୀୟ...?

173

କନକ ବ୍ୟୁରୋ: ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । କଟକ ମେଡିକାଲରେ କେମିତି ଅଛନ୍ତି ରୋଗୀ ଆଉ କେମିତି ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ ? ଏକଥା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଆଜ୍ଞା ହଁ କଟକରେ କାନ୍ଦୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ରୋଗୀଙ୍କୁ ଡାକ୍ତର ଦେଖାଇବାକୁ ଘଣ୍ଟାଘଣ୍ଟା ଧାଡିରେ ଛିଡା ହେଉଛନ୍ତି ଲୋକେ । ଡାକ୍ତରଙ୍କ ପରାମର୍ଶ ନେବା ଠାରୁ ଆରମ୍ଭ କରି ରକ୍ତ ପରୀକ୍ଷା ପର୍ଯ୍ୟନ୍ତ ସବୁଠି ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ରୋଗୀଙ୍କ ରକ୍ତ ପରୀକ୍ଷା ହେଉକି ଔଷଧ ନେବା ହେଉ ଅବା ରିପୋର୍ଟ ପାଇବା ସହ ଡାକ୍ତରଙ୍କ ପରାମର୍ଶ ପାଇଁ ସବୁବେଳେ ରୋଗୀଙ୍କ ସମ୍ପର୍କୀୟଙ୍କୁ ନାକେଦମ ହେବାକୁ ପଡୁଛି । ତେବେ ବଡ ମେଡିକାଲରେ ଏହା ଦିନେ ଅଧିଆ କଥା ନୁହେଁ ଏହା ନିତିଦିନିଆ କଥା । ସବୁଦିନ ରୋଗୀଙ୍କ ସମ୍ପର୍କୀୟ ଏମିତି ହଇରାଣ ହରକତ ହୋଇ ଚିକିତ୍ସା କରାଉଛନ୍ତି ।


ତେବେ ସବୁଠାରୁ ବଡ କଥା ହେଉଛି ରୋଗୀଙ୍କୁ ଡାକ୍ତର ଦେଖାଇବାକୁ ରାତି ଅଧରୁ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ଦୂର ଦୂରାନ୍ତରରୁ ଅର୍ଥାତ ଅନ୍ୟ ଜିଲ୍ଲାମାନଙ୍କରୁ ଯେଉଁମାନେ ରୋଗୀ ଦେଖାଇବାକୁ କଟକ ଆସୁଛନ୍ତି ସେମାନେ ରାତିରୁ ଆସି ଧାଡିରେ ଛିଡା ହେଉଛନ୍ତି । କାଳେ ତାଙ୍କ ପାଳି ପଛରେ ପଡିଯିବ ସେଇଥିପାଇଁ କିଛି ଲୋକ କଟକରେ ରହୁଥିବା ସମ୍ପର୍କୀୟଙ୍କ ଦ୍ୱାରା ଧାଡି ଦେବା ବଦଳରେ ଇଟା ଓ ପଥର ତଳେ ସେମାନଙ୍କ ନାଁ ଓ ଠିକଣା ଲେଖି ଥୋଇ ଦେଇଯାଆନ୍ତି । ଆଉ ଯଦି ଇଟା ତଳୁ କାଗଜ ଉଡିଗଲା ତେବେ ସେମାନଙ୍କୁ ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡିବ ।
ସକାଳେ ତ ଧାଡିରେ ଛିଡା ହେବା ଏକ ପ୍ରକାର ସମ୍ଭବ ହୋଇଯାଏ ହେଲେ ସୂର୍ଯ୍ୟ ଟିକେ ଆଖି ଦେଖାଇବା ପରେ ଟାଣ ଖରା ଓ ଅସହ୍ୟ ଗରମରେ ଲାଇନ ଲଗାଇବା ଏକ ଦମ ଅସମ୍ଭବ ହୋଇପଡେ ତେଣୁ ରୋଗୀଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ପଥର ତଳେ ପ୍ରେସକ୍ରିପସନ ରଖି ଛାଇରେ ଛିଡା ହୁଅନ୍ତି । ତେବେ ଏହି ଘଟଣା ଫି ଦିନର । ଡାକ୍ତରଙ୍କ ପରାମର୍ଶ ଠାରୁ ରକ୍ତ ପରୀକ୍ଷା ଯାଏଁ ଅବ୍ୟବସ୍ଥା ଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।


ଭିଡ ଭିତରେ ଟାଣ ଖରାରେ ରୋଗୀଙ୍କ ସମ୍ପର୍କୀୟ ଭୋଗୁଥିବା କଷ୍ଟକୁ ସ୍ୱୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ରକ୍ତ ପରୀକ୍ଷା କେନ୍ଦ୍ର, ଏକ୍ସରେ କେନ୍ଦ୍ର ଓ ନିରାମୟ କେନ୍ଦ୍ରରେ ଭିଡ ଅନୁସାରେ ସେବା ଯୋଗାଇ ଦେବାକୁ ଲୋକ ନଥିବା ସେ ସ୍ୱୀକାର କରିଛନ୍ତି । ତେବେ କଟକ ବଡ ମେଡିକାଲର ଏ ବଡ ସତ ହିଁ ସ୍ପଷ୍ଟ ବୟାନ କରୁଛି କେମିତି ଚାଲିଛି ସ୍ୱାସ୍ଥ୍ୟସେବା । ତେବେ କେବେ ଏ ସମସ୍ୟାର ସମାଧାନ ହେବ ଆଉ ରୋଗୀ ସୁବିଧାରେ ସେବା ପାଇପାରିବେ ତାକୁ ଦେଖିବାକୁ ବାକି ରହିଲା ।