ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ : ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା

150

କନକ ବ୍ୟୁରୋ : ଲଗାଣ ବର୍ଷା ସତ୍ୱେ ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ମହା ଆଡମ୍ବରରେ ଆରମ୍ଭ ହୋଇଛି । ଏକାମ୍ର ପ୍ରକଳ୍ପ ଭୂମିପୂଜା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା । ଗତକାଲି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ସେବାୟତ ଓ ମେୟର ସୁଲୋଚନା ଦାସ ସମେତ ଭୁବନେଶ୍ୱରର ବିଧାୟକ ମିଶି, ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଭାବେ ନିମନ୍ତ୍ରଣ କରିଛନ୍ତି । ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଦିନ ଭୁବନେଶ୍ୱରର ବିଧାୟକ, ମେୟର, ସମସ୍ତ କର୍ପୋରେଟ, ମୁଖ୍ୟ ଶାସନ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ପ୍ରକଳ୍ପ ପାଇଁ ଯେଉଁମାନେ ଜମି ଦାନ କରିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିବେ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ରଙ୍ଗବେରଙ୍ଗର ଆଲୋକମାଳାରେ ଝଟକୁଛି ପୂରା ଏକାମ୍ର କ୍ଷେତ୍ର । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ, ଶ୍ରଦ୍ଧାଳୁଙ୍କ ଓଁ ନମଃ ଶିବାୟ ଉଚ୍ଚାରଣ ସାଙ୍ଗକୁ ନାମ ସଂକୀର୍ତ୍ତନ ପୂରା ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି । ଲଗାଣ ବର୍ଷା ସତ୍ତ୍ବେ ବହୁପ୍ରତୀକ୍ଷିତ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଆଜିଠାରୁ ଏମିତି ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଜି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ସୁସଜ୍ଜିତ ଯଜ୍ଞ ମଣ୍ଡପରେ ମାଙ୍ଗଳିକ ଅଙ୍କୁରାରୋପଣ କରାଯାଇଛି ।

ଲିଙ୍ଗରାଜ ମାର୍କେଟ୍‌ କଂପ୍ଲେକ୍ସ‌ରେ ସ୍କାଏ ପ୍ରୋଜେକ୍ସନ୍‌, ଆଲୋକ ଓ ଶବ୍ଦ ପ୍ରଦର୍ଶନ ଏବଂ ନୃତ୍ୟ ପରିବେଷଣ ଆରମ୍ଭ ହୋଇଛି । ଏଥିରେ ମାର୍କେଟ କଂପ୍ଲେକ୍ସରେ ଥିବା ୬୪ ଦୋକାନ ଘରକୁ ସ୍ବତନ୍ତ୍ର ଏଲଇଡି ଡିସପ୍ଳେ ମାଧ୍ୟମରେ ସଜା ଯାଇଥିଲା । ଶ୍ରଦ୍ଧାଳୁମାନେ ଆଲୋକ ଓ ଶବ୍ଦ ମାଧ୍ୟମରେ ଭକ୍ତି ସଙ୍ଗୀତର ଆନନ୍ଦ ନେବା ସହ ଏକାମ୍ର କ୍ଷେତ୍ରର ସମୃଦ୍ଧ ଐତିହ୍ୟ, ପରମ୍ପରା ଏବଂ ଲିଙ୍ଗରାଜ ମହାଦେବଙ୍କ କାହାଣୀ ଦେଖିଥିଲେ । ସଂଧ୍ୟାରେ ସୁପରିଚିତ ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ଅଧିକ ଉତ୍ସାହ ଭରିଥିଲେ । ଗୋଟିଏ ପରେ ଗୋଟିଏ ମହାଦେବଙ୍କ ଗୀତରେ ଦମ୍‌ଦାର ନୃତ୍ୟ ପରିବେଷଣ କରି ଉପସ୍ଥିତ ଶହ ଶହ ଦର୍ଶକଙ୍କୁ ବିମୋହିତ କରିଥିଲେ ।