ମାଲକାନଗିରି ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କୁ ପୋଲିସର ମାଡ । ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

ବିଧାନସଭାରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

134

କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ ନେଇ ବିଧାନସଭା ଗୃହରେ ହଟ୍ଟଗୋଳ ହେବା ପରେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଆଜି ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ସୁରକ୍ଷା ନେଇ ବିରୋଧୀ ବିଧାୟକ ହୋ ହଲ୍ଲା କରିଥିଲେ । ଏହାପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବା ନେଇ ଗୃହରେ ବିବୃତି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ବିଧାନସଭାର ଶୂନ୍ୟ କାଳରେ ଉଠିଥିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ। ମାଲକାନଗିରି ଆରସିଏସ-୧୩ ନମ୍ବର ଗାଁରେ ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା,୮୦ ବର୍ଷୀୟ ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଥିଲେ କଂଗ୍ରେସ ସଦସ୍ୟ। ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ । ମଦ ପିଇ ସାରିବା ପରେ ପୋଲିସ ବାବୁ ଆତଙ୍କରାଜ କରିଛନ୍ତି ବୋଲି କହିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି। ତେବେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଥିଲେ । ଡ଼ାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଅଣାଯାଇଛି । ମା’କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ।

ଏହି ମାମଲାରେ ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ପ୍ରସାଦ ବାହିନୀ ପତି ଦାବି କରିଥିଲା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଥିଲେ ସନ୍ତୋଷ ସିଂ ସାଲୁଜା। ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହାସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ସବୁ କାର୍ୟ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ନରସିଂହ ମିଶ୍ର। ବିରୋଧୀ ଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇବା ସହ କହିଥିଲେ ରକ୍ଷକ ଯଦି ଭକ୍ଷକ ସାଜିବେ ତେବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ? ଜୋରଦାର ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟକୁ ୧୦ ମିନିଟ୍ ଯାଏଁ ମୁଲତବୀ କରାଯାଇଥିଲା ।