ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ । ଏବେ ବି ଫାଙ୍କା ପଡିଛି ୧୫୬୧ ଶିକ୍ଷକ ଓ ୧୬୬ ଜଣ ଅଣଶିକ୍ଷକ ପଦବୀ । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।

159

କନକ ବ୍ୟୁରୋ : ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ । ଖାଲି ପଡିଛି ୧୫୬୧ ଶିକ୍ଷକ ଓ ୧୬୬ ଜଣ ଅଣଶିକ୍ଷକ ପଦବୀ । ବିଧାନସଭା ଅଧିବେଶନରେ ଏନେଇ ଗୃହରେ ତଥ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ବିଜେପି ବିଧାୟକ ମୋହନ ଚରଣ ମାଝୀ ଆଦର୍ଶ ବିଦ୍ୟାଳୟ ସମ୍ପର୍କିତ କିଛି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ । ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଆରମ୍ଭ ନିମନ୍ତେ କି ପଦକ୍ଷେପ କେଉଁ ପର୍ଯ୍ୟାୟରେ ପହଞ୍ଚିଛି । ସମସ୍ତ ଆଦର୍ଶ ବିଦ୍ୟାଳୟ ନିମନ୍ତେ କେତେ ସଂଖ୍ୟକ ଶିକ୍ଷକଙ୍କର ଆବଶ୍ୟକତା ରହିଛି? କେତେ ସଂଖ୍ୟକ ଶିକ୍ଷକ ପଦବୀ ଫାଙ୍କା ପଡିଛି, ଚଳିତବର୍ଷ ଶିକ୍ଷା ବର୍ଷ ଆରମ୍ଭ ସୁଦ୍ଧ କେତେ ପଦବୀ ପୂରଣ କରାଯିବ ସେନେଇ ଉତ୍ତର ଜାଣିବାକୁ ଚାହିଁଥିଲେ ।

ଏହାର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷରେ ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅନୁପାତ ୨୫:୧ ଏବଂ ଶୈକ୍ଷିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଏବଂ ଏକାଦଶ-ଦ୍ୱାଦଶ ବିଜ୍ଞାନ ତଥା ବାଣିଜ୍ୟ ଶ୍ରେଣୀ ପାଇଁ ୨୩ଟି ଶିକ୍ଷକ ଓ ୫ଟି ଅଣଶିକ୍ଷକ ପଦବୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏବେ ଆବଶ୍ୟକତା ଦୃଷ୍ଟିରୁ ୫୭୭୨ଟି ପଦବୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାସତ୍ତେ୍ୱ ମଧ୍ୟ ଏବେ ୧୫୬୧ ଶିକ୍ଷକ ଓ ୧୬୬ ଜଣ ଅଣଶିକ୍ଷକ ପଦବୀ ଖାଲି ରହିଛି । ଏହି ପଦବୀକୁ ଖୁବଶୀଘ୍ର ପୂରଣ କରିବାକୁ ପଦକ୍ଷେପ ନେଉଛନ୍ତି ସରକାର । ସେହିଭଳି ଏଯାବତ୍ ୬୫ଟି ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଶେଷ ହୋଇନଥିବା ତଥ୍ୟ ସାମ୍ନାକୁ ଆସିଛି ।