ନାଗପୁର ଟେଷ୍ଟ: ଭାରତୀୟ ଖେଳାଳିଙ୍କୁ ପାଣି ପିଆଇଲେ ଟଡ୍ ମର୍ଫି । ଜାଣନ୍ତୁ, କିଏ ଏହି ଖେଳାଳି?

265

କନକ ବ୍ୟୁରୋ: ନାଗପୁର ଟେଷ୍ଟର ପ୍ରଥମ ଇଂନିସରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ପ୍ରଥମ ଇଂନିସରେ ଶତକ ହାସଲ କରିଥିବାବେଳେ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଅଫ୍ ସ୍ପିନର ଟଡ୍ ମର୍ଫି ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇବା ସହ ୫ ୱିକେଟ୍ ସଫଳତା ପାଇଛନ୍ତି । ବିରାଟ କୋହଲି, ଚିତେଶ୍ୱର ପୂଜାରା, କେ ଏଲ ରାହୁଲ, ଆର ଅଶ୍ୱିନୀଙ୍କ ସହ କେଏସ୍ ଭରତଙ୍କର ମଧ୍ୟ ୱିକେଟ୍ ନେଇଛନ୍ତି ମର୍ଫି । ତେବେ ଅଷ୍ଟ୍ରେଲିଆର ଦ୍ୱିତୀୟ ବୋଲର ହିସାବରେ ଡେବ୍ୟୁ ମ୍ୟାଚରେ ସେ ଏହି ସଫଳତା ପାଇଛନ୍ତି । ତେବେ ଏହି ଖେଳାଳି ଜଣକ କିଏ ଆପଣ ଜାଣିଛନ୍ତି କି?

୨୨ ବର୍ଷୀୟ ଏହି ପ୍ରତିଭାବାନ କ୍ରିକେଟର ନାଗପୁର ଟେଷ୍ଟରେ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ଟଡ୍ ମର୍ଫିଙ୍କୁ ନାଥନ୍ ଲାୟନଙ୍କ ଉତ୍ତରାଧିକାରୀ ବି କେହି କେହି କହୁଛନ୍ତି । ଅଷ୍ଟ୍ରେଲିଆର ଅନୁଭବୀ ସ୍ପିନର ଜାମ୍ପାଙ୍କ ଅନୁପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଟଡ୍ ମର୍ଫି । ଦଳର ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ରଖିଥିବାବେଳେ, ଏହି ଭରସାକୁ ମଧ୍ୟ ଭାଙ୍ଗିନାହାଁନ୍ତି ମର୍ଫି ।

ଘରୋଇ କ୍ରିକେଟରେ ମର୍ଫିଙ୍କ ପ୍ରଦର୍ଶନ ବେଶ ଦମଦାର ଥିଲା । ଗତ ଘରୋଇ ସିଜିନରେ ସେ ଚମକ୍ରାର ପ୍ରଦର୍ଶନ କରିବା ସହିତ ଦଳରେ ସୁଯୋଗ ପାଇଥିଲେ । ଆଉ ଟିମ୍ ଇଣ୍ଡିଆ ବିପକ୍ଷରେ ସୁଯୋଗ ପାଇବା ମାତ୍ରକେ ସେ ତାଙ୍କର ଜଲୱା ଦେଖାଇଛନ୍ତି । ଟଡ୍ ମର୍ଫି ସେଫିଲ୍ଡ ସିଲ୍ଡ ଲିଗର ୭ଟି ମ୍ୟାଚରୁ ୨୯ଟି ସଫଳତା ପାଇଥିଲେ । ଏହି ସମୟରେ ତାଙ୍କର ଆଭରେଜ୍ ଥିଲା ୨୫.୨୦ । ତେବେ ଅଷ୍ଟ୍ରେଲିଆର ବିଗ ବାସ୍ ଲିଗରେ ସେ ସିଡନୀ ସିକ୍ସର ପକ୍ଷରୁ ମଧ୍ୟ କ୍ରିକେଟ୍ ଖେଳିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୮୮ ମସିହା ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ନିଜ ଚୂଡାନ୍ତ ଏକାଦଶରେ ଦୁଇ ଜଣ ଅଫ୍ ସ୍ପିନରଙ୍କୁ ସାମିଲ କରିଥିଲା । ନାଥନ୍ ଲିୟନଙ୍କ ସହ ଟଡ୍ ମର୍ଫି ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ଏହା ପୂର୍ବରୁ ପ୍ରାୟ ୩୫ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ପିଟର ଟେଲର ଓ ଟିମଙ୍କୁ ଦୁଇ ଜଣ ଅଫ୍ ସ୍ପିନର ଭାବେ ଦଳରେ ସାମିଲ କରିଥିଲା ।