ଆଦାନୀ-ହିଣ୍ଡେନବର୍ଗ ମାମଲା ସୁପ୍ରିମକୋର୍ଟରେ ଶୁଣାଣି, ନିବେଶକଙ୍କୁ ନେଇ ଚିନ୍ତାପ୍ରକଟ କଲେ କୋର୍ଟ

330

କନକ ବ୍ୟୁରୋ : ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ଫାର୍ମ ଦେଇଥିବା ରିପୋର୍ଟକୁ ନେଇ ସାରା ଦେଶରେ ହୋ ହାଲ୍ଲା ଲାଗି ରହିଛି । ଏନେଇ ଆଦାନୀଙ୍କ ତରଫରୁ ସୁପ୍ରିମକୋର୍ଟରେ ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ହୋଇଥିବା ମାମଲାର ଆଜି ଶୁଣାଣି କରିଛନ୍ତି କୋର୍ଟ । ଶୁଣାଣି ବେଳେ କୋର୍ଟ ଆଦାନୀ ଗ୍ରୁପରେ ନିବେଶ କରି କୋଟି କୋଟି ଟଙ୍କା ହରାଇଥିବା ନିବେଶକଙ୍କୁ ନେଇ କୋର୍ଟ ଚିନ୍ତାପ୍ରକଟ କରିଛନ୍ତି । ଭବିଷ୍ୟତରେ ଯେମିତି ଏଭଳି ସ୍ଥିତି ନଦେଖାଦିଏ ତାହା ପାଇଁ ସେବି ବା ଭାରତୀୟ ପ୍ରତିବୃତ୍ତି ବିନିମୟ ବୋର୍ଡ ଠାରୁ ପରାମର୍ଶ ମାଗିଛନ୍ତି । ଏହାସହ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ସଂକେତ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୧୩ ତାରିଖରେ ହେବ ବୋଲି କୁହାଯାଇଛି ।

ଆବେଦକାରୀଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ବିଶାଲ ତିୱାରୀ ଏହି ମାମଲାରେ ଏକ ଯାଂଚ କମିଟି ଗଠନ କରିବାକୁ କୋର୍ଟଙ୍କୁ କହିଥିଲେ । ସେପଟେ ସିଲିସିଟର ଜେନରାଲ କହିଥିଲେ କି ସେ ସେବି ତରଫରୁ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟ ଯାହା ପ୍ରଶ୍ନ ପଚାରିବେ ସେ ତାହା ଉପରେ ଉତ୍ତର ରଖିବେ । କୋର୍ଟ କହିଥିଲେ କି ଆମର ଚିନ୍ତା ହେଉଛି କିଭଳି ଭାବେ ଭାରତୀୟ ନିବେଶକଙ୍କୁ ସୁରକ୍ଷା ଦିଆଯାଇପାରିବ ।

ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଥଲେ କି ୩ରୁ ୪ ମିନିଟରେ କ୍ଷୁଦ୍ର ବିକ୍ରୟ ମାଧ୍ୟମରେ ଅନେକ ବାଣିଜ୍ୟ ହୋଇଥାଏ । ମିଳିଥିବା ସୂଚନା ମୁତାବକ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି । ଏହା ଉପରେ ସଲିସିଟର କହିଛନ୍ତି କି, ଏସବୁ ପାଇଁ ଭାରତ ବାହାରେ ଥିବା ଏକ ସଂସ୍ଥା ଦାୟୀ । ଏନେଇ ଆଗକୁ କିଭଳି ନିବେଶକଙ୍କୁ ସୁରକ୍ଷିତ ରଖାଯାଇପାରିବ ତାହା ନେଇ ଆମେ ଚିନ୍ତିତ, ହେଲେ ତୁରନ୍ତ କିଛି କହିବା ଠିକ୍ ନୁହେଁ ବୋଲି ସଲିସିଟର କହିଛନ୍ତି ।

ମୁଖ୍ୟ ବିଚାରପତି କହିଛନ୍ତି କି ଆସନ୍ତା ସୋମବାରକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ବ୍ୟବସ୍ଥା ହୋଇଛି । ଏଥିରେ କିଭଳି ସୂଧାର ହୋଇପାରିବ ତାହା ଉପରେ ବିଚାର କରାଯିବ । ଏହାସହ ସେ କହିଥିଲେ କି କେବଳ ଧନୀ ଲୋକ ନିବେଶ କରିନାହାଁନ୍ତି, ଏହି ନିବେଶରେ ମଧ୍ୟମବର୍ଗର ଲୋକମଧ୍ୟ ସାମିଲ ଅଛନ୍ତି ।