କରୋନା କାଳରେ କେମିତି ଅଛି ଦେଶରେ ମହିଳାଙ୍କ ସ୍ଥିତି ? ଆସିଲା ଉଦବେଗଜନକ ଚିତ୍ର; ଲକଡାଉନ ସମୟରେ ପାରିଶ୍ରମିକ ପାଇନାହାନ୍ତି ପ୍ରାୟ ସାଢେ ୬କୋଟି ମହିଳା

218

କନକ ବ୍ୟୁରୋ : କରୋନା ଭାଇରସ୍ କବଳରେ ସାରା ବିଶ୍ୱ । ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହେଲାଣି । କରୋନା ଯୋଗୁ ଅନେକ ନିଜର ଜୀବିକା ହରାଇଛନ୍ତି । କାମ ମିଳୁନଥିବାରୁ ଅନେକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୁଷ ସହ ମହିଳାମାନେ ମଧ୍ୟ ଏପରି ଅସୁବିଧାରେ ପଡିଛନ୍ତି  ।

ତଥ୍ୟ ଅନୁସାରେ, ପ୍ରଥମ ଲକଡାଉନ୍ ସମୟରେ ପାଖାପାଖି ୬.୪ କୋଟି ମହିଳା ମହାମାରୀ ପରେ ସେମାନଙ୍କ ପାରିଶ୍ରମିକ ପାଇନାହାନ୍ତି  । ସେମାନଙ୍କ ଖାଦ୍ୟ କମାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ମଧ୍ୟ କାଂଟଛାଟ କରିଛନ୍ତି । ୮.୭ ଲକ୍ଷ କର୍ମଜୀବୀ ମହିଳା ଅକ୍ଟୋବର ୨୦୨୦ ପରଠାରୁ କାମ ପାଇନାହାନ୍ତି । ୪.୩ କୋଟି ମହିଳା ସେମାନଙ୍କ ଚାକିରି ଓ ରୋଜଗାର ହରାଇଛନ୍ତି  । ବର୍ତମାନ ସୁଦ୍ଧା ମାତ୍ର ୧.୫ କୋଟି ମହିଳା ସେମାନଙ୍କ ରୋଜଗାର ଫେରିପାଇଛନ୍ତି  । କମ ରୋଜଗାର କରୁଥିବା ଘରର ୩.୨ କୋଟି ମହିଳା ସେମାନଙ୍କ ଖାଦ୍ୟ କମାଇ ଦେଇଛନ୍ତି ।

ଆଉ ୩.୨ କୋଟି ମହିଳା ଖାଦ୍ୟ କମାଇ ଦେଇଥିବାରୁ ଚିନ୍ତିତ ଅଛନ୍ତି  । ସର୍ଭେକ୍ଷଣରୁ ଜଣାପଡ଼ିଛି କରୋନାର ଏହି କଷ୍ଟକର ସମୟରେ ପ୍ରାୟ ୧୬ ପ୍ରତିଶତ ମହିଳା ସେମାନଙ୍କ ଅସୁବିଧା ସମୟରେ ସାନିଟାରୀ ନାପକିନ୍ ମଧ୍ୟ ବ୍ୟବହାର କରିନାହାନ୍ତି । କରୋନାର ପ୍ରଥମ ଲହର ସମୟରେ ଗତ ବର୍ଷ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ୩ ପ୍ରତିଶତ ମହିଳା ଗର୍ଭନିରୋଧ ବଟିକା ନେବା ପାଇଁ ସମର୍ଥ ହୋଇନାହାନ୍ତି  ।