ଏବେ ବି ପଛରେ ଯୋଗୀଙ୍କ ସାଥୀ କେଶବ ପ୍ରସାଦ ମୌର୍ଯ୍ୟ । ଭୋଟ ଗଣତି ବନ୍ଦ କଲେ ବିଜେପି କର୍ମୀ, କଡା ଟକ୍କର ଦେଉଛନ୍ତି ପଲ୍ଲବୀ ।

184

କନକ ବ୍ୟୁରୋ : ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ପୁଣିଥରେ ବିଜେପି ସପକ୍ଷରେ ବହିଛି । ମ୍ୟାଜିକ ନମ୍ବର ଠାରୁ ଯଥେଷ୍ଟ ଅଧିକ ଆସନ ପାଇ ପୁଣିଥରେ ସରକାର ଗଢିବାକୁ ଯାଉଛି ବିଜେପି । ସମାଜବାଦୀ ପାର୍ଟି ବିଜେପିକୁ ଟକ୍କ୍ର ଦେଇଥିଲେ ମଧ୍ୟ ମ୍ୟାଜିକ ନମ୍ବର ଠାରୁ ଢେର ପଛରେ ରହିଛି । ଖାସକରି ଯୋଗୀଙ୍କ ଯାଦୁ ପୁଣିଥରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ନିଜେ ଯୋଗୀ ମଧ୍ୟ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିବା ବେଳେ ସାଥୀ ନେତା ତଥା ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବେ ବି ବିଜୟ-ପରାଜୟର ସାପ-ସିଡି ଖେଳ ଭିତରେ ସଂଘର୍ଷ କରୁଛନ୍ତି । ଏବେ ବି ସିରାଥୁ ଆସନରୁ ୬ ହଜାର ଭୋଟ ପଛୁଆ ଅଛନ୍ତି କେଶବ । ଆଉ  ଏହି ଆସନରେ କେଶବଙ୍କ ଚିନ୍ତା ବଢାଇଛନ୍ତି ସମାଜବାଦୀ ପାର୍ଟିର ପ୍ରାର୍ଥୀ ପଲ୍ଲବୀ ପଟେଲ । କେଶବ ୬ ହଜାର ଭୋଟ ପଛରେ ଥିବା ବେଳେ ଏବେ ବିଜେପି ଏଜେଣ୍ଟ ଏଠାରେ ଭୋଟ ଗଣନାକୁ ବନ୍ଦ କରିଥିବା ବେଳେ ଦେଖାଦେଇଛି ଉତ୍ତେଜନା । ପୁଣିଥରେ ରି-କାଉଣ୍ଟିଂ କରିବାକୁ ଦାବି କରୁଛନ୍ତି ବିଜେପି କର୍ମୀ । ଆଉ ଉତ୍ତେଜନାକୁ ଦୃଷ୍ଟିରେ ରଖି ସମାଜବାଦୀ ପାର୍ଟିର ପ୍ରାର୍ଥୀ ପଲ୍ଲବୀ ପଟେଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏବେ ସୁଦ୍ଧା ସିରାଥୁ ବିଧାନସଭା ଆସନରେ ୨୯ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ଏହି ଗଣତିରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ପଲ୍ଲବୀ ବିଜେପି ପ୍ରାର୍ଥୀୀ କେଶବ ପ୍ରସାଦ ମୌର୍ଯ୍ୟ ଠାରୁ ୬୩୯୭ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ପଲ୍ଲବୀ ଏବେ ସୁଦ୍ଧା ୯୮୭୬୩ ଖଣ୍ଡ ଭୋଟ ପାଇଥିବା ବେଳେ କେଶବ ପ୍ରସାଦ ମୌର୍ଯ୍ୟ ୯୨୩୬୬ ଖଣ୍ଡ ଭୋଟ ପାଇଛନ୍ତି । ଯାହା ଉତ୍ତରପ୍ରଦେଶ ରାଜନୀତିକୁ ରୋଚକ କରିଛି । ଅନ୍ୟପଟେ ଉତ୍ତରପ୍ରଦେଶର ବିଜେପିର ବିଜୟକୁ ନେଇ ଉତ୍ସବମୁଖର ହୋଇଛି ବିଜେପି ଶିବିର । ଉତ୍ତରପ୍ରଦେଶରୁ ଦିଲ୍ଲୀ ଯାଏଁ ଉତ୍ସବ ମନାଉଛି ଦଳ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହେଉଥିବା ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି ।