ପାରଦୀପରେ କ୍ଷମତା ଯୁଦ୍ଧ! ଶିଳ୍ପପତି ମହିମା ମିଶ୍ରଙ୍କ ପୁରୁଣା କେସର ଫାଇଲ୍ ଖୋଲିବ ପୁଲିସ୍

30

କନକ ବ୍ୟୁରୋ : ପୁଲିସ୍ ରିମାଣ୍ଡରେ ବିଜନେସ୍ ଟାଇକୁନ୍ ମହିମା ମିଶ୍ର । ଥାଇଲାଣ୍ଡରୁ ଧରା ପଡିବା ପରେ ଜଗତସିଂହପୁର ପୁଲିସ୍ ତାଙ୍କୁ ଗିରଫ କରି ଗତକାଲି ଓଡିଶା ଆଣିଥିଲା । ତେବେ ଏହି କ୍ଷମତାଶାଳୀ ଶିଳ୍ପପତିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି । କାରଣ ପୁଲିସ୍ କହିଛି, ଏବେ ଖୋଲିବ ମହିମାଙ୍କ ପୁରୁଣା କେସ୍ ।

୧୯୯୮ରେ ଟ୍ରେଡ ୟୁନିୟନ ନେତା ବିଚିତ୍ରାନନ୍ଦ ମଲ୍ଲିକଙ୍କୁ ହତ୍ୟା । ୧୯୯୫ରେ ଅପହରଣ ଉଦ୍ୟମ । ୨୦୧୧ରେ ତାଳଚେରରେ ସୁପାରୀ ଦେଇ ହତ୍ୟା ଉଦ୍ୟମ । ୨୦୧୩ରେ କଟକରେ ଅରୁଣ ଭଟ୍ଟଙ୍କୁ ହତ୍ୟା । କେତେବେଳେ ଜମି ହଡପ ତ କେତେବେଳ ଦାଦାବଟି ଆଦାୟ । ଆଉ କେତେବେଳେ ବିଭିନ୍ନ ମାମଲାର ଅଭିଯୋଗକାରୀ ଓ ସାକ୍ଷୀଙ୍କ ଉପରକୁ ଗୁଳି ଓ ବୋମାମାଡ । ଏମିତ ଅନେକ ମାମଲାରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ମୁଖ୍ୟ ମହିମା ମିଶ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ । ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ବିଶିଷ୍ଟ ଶିଳ୍ପପତିଙ୍କୁ ଗିରଫ କରିବା ପରେ ଏବେ ପୁଲିସ ପଢୁଛି ମହିମାଙ୍କ ଅପରାଧ ପଞ୍ଜିକା ।

୧୯୭୮ ରୁ ଆଜି ପର୍ଯ୍ୟନ୍ତ । ଷ୍ଟିଭେଡରିଂକୁ ନେଇ ଷଡଯନ୍ତ୍ରର ଅନେକ ସାଂଘାତିକ ଅଭିଯୋଗ ଆସିବା ପରେ ବି ପୁଲିସ ହାତ ମାରି ପାରିନଥିଲା ମହିମାଙ୍କ ଦେହରେ । କାରଣ ୨ ହଜାର କୋଟିର ମାଲିକ ବନିଥିବା ଏହି କାର୍ଗୋ ବ୍ୟବସାୟୀଙ୍କ ପାଖରେ ଥିଲା କ୍ଷମତା ଓ ପ୍ରତିପତି । ତେବେ ଗତବର୍ଷ ପାରାଦୀପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପଶିବା ପରେ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା । ମନ୍ତ୍ରୀଙ୍କ ସଂପର୍କୀୟ ସିୱେଜ କମ୍ପାନୀ ଜରିଆରେ ଧଶେଇ ପଶିଥିଲେ ପାରାଦୀପର ଷ୍ଟିଭେଡରିଂ ଭିତରକୁ ।

ଆଇନ ଅନୁସାରେ ହେଲା ଟେଣ୍ଡର । ହେଲେ ନିଜ ଜିଦରେ ଅଟଳ ରହି ମହିମା ନେଲେନି ଟେଣ୍ଡର ପ୍ରକ୍ରିୟାରେ ଭାଗ । ହଠାତ ଅଶାନ୍ତ ହୋଇପଡିଲା ପାରାଦୀପ । ମୁହାଁମୁହିଁ ହେଲେ ସିୱେଜ ଓ ଓଏସଏଲ । ସପ୍ତାହେ ଧରି ମାଲ ଅନଲୋଡିଂ ବନ୍ଦ ହୋଇଗଲା ମହିମାଙ୍କ ଇସାରାରେ ।

ରାଜନୀତୀ, କ୍ଷମତା, ଅର୍ଥ । ମହିମା ମିଶ୍ରଙ୍କ ୩୦ ବର୍ଷର ଏକଚାଟିଆ କାରବାରରେ ବ୍ରେକ ଲଗାଇଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ କଂଗ୍ରେସ ନେତା ତଥା ଜିନ୍ଦଲ ମୁଖ୍ୟ ନବୀନ ଜିନ୍ଦଲ । ଆଉ ଏହାପରେ ପାରାଦୀପ ବନ୍ଦରରେ ଜୋରଦାର ହୋଇଥିଲା କର୍ପୋରେଟ ୱାର । ଏବେ ମହିମାଙ୍କ ଗିରଫଦାରୀ ପରେ ଏହି ଯୁଦ୍ଧ କେଉଁ ମୋଡ ନେଉଛି , ତା ଉପରେ ନଜର ।