ଦମ୍ପତିଙ୍କ ଆତ୍ମହତ୍ୟା ! ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ; ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ

208

କନକ ବ୍ୟୁରୋ : ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ । ଏପଟେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗ୍ରାମରେ । ସୂଚନା ଅନୁସାରେ, ରବିବାର ଅପରାହ୍ଣରେ ଗାଁର ସମରେନ୍ଦ୍ର ସେନାପତି ବିଲରୁ ଘରକୁ ଫେରିବା ପରେ ସ୍ତ୍ରୀ ସୁନିତାଙ୍କ ସହ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଆଉ ଏଥିରେ ଉତକ୍ଷିପ୍ତ ହୋଇ ସମରେନ୍ଦ୍ର ଘର ଭିତରକୁ ଯାଇ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ । କବାଟ ନଖୋଲିବାରୁ ପୁଅ ଆସି ଡାକିଥିଲା । ଶେଷରେ ତାଙ୍କ ବଡ଼ ଭାଇ ଶାବଳ ସହାୟତାରେ କବାଟ ଭାଙ୍ଗିଥିଲେ । ଆଉ ଦେଖିଲା ବେଳକୁ ସମରେନ୍ଦ୍ର ବେକରେ ଶାଢ଼ି ବାନ୍ଧି ଝୁଲିପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ତେବେ ଅଧବାଟରେ ଖବର ଆସିଲା ପରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି ।

ପତ୍ନୀ ସୁନିତା ଘରର ପଙ୍ଖାକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଧରିଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସମରେନ୍ଦ୍ରଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ।