୪ ସପ୍ତାହ ଲକଡାଉନ । ଚୀନରେ ପଡିଲାଣି ହାହାକାର, କାୟା ବିସ୍ତାର କଲାଣି କରୋନା ।

200

କନକ ବ୍ୟୁରୋ :  ଚୀନରେ ପୁଣି କରୋନା କାୟା ବିସ୍ତାର କଲାଣି । ଚୀନର ବିଭିନ୍ନ ସହରରେ ପୁଣିଥରେ କରୋନାକୁ ନେଇ ଭୟର ବାତାବରଣ ଖେଳିଗଲାଣି । ଆଉ କରୋନାର ଦ୍ରୁତ ସଂକ୍ରମଣ କାରଣରୁ ଚୀନର ବିଭିନ୍ନ ସହରରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ସଂକ୍ରମଣ କାରଣରୁ ଚୀନର ସଂଘାଇ ସହରରେ ୪ ସପ୍ତାହ ହେବ ଲକଡାଉନ ଜାରି ରହିଛି । ଆଉ ଏବେ ବେଜିଂରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । କାରଣ ବେଜିଂରେ କରୋନା ସଂକ୍ରମଣ କିଛି କମ ନାହିଁ ।

ସୋମବାର ଠାରୁ ଚୀନରେ ଟେଷ୍ଟିଂ ଆରମ୍ଭ ହୋଇଛି । ଏଥିରେ ୩ ରାଉଣ୍ଡ ଟେଷ୍ଟିଂ ହେବ । ପ୍ରଥମ ରାଉଣ୍ଡରେ ହିଁ ବେଜିଂ ସହରରେ ୩୫ ଲକ୍ଷ ଲୋକଙ୍କର ଟେଷ୍ଟିଂ କରାଯାଇଛି । ସଂଘାଇ ସଂକ୍ରମଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଏବେ ଏଠାରେ ଦୈନିକ ୧୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ୫୧ ହଜାରରୁ ଅଧିକ ଲୋକ କରୋନାରେ ମୃତ୍ୟୁବରଣ କରି ସାରିଲେଣି । ସଂଘାଇରେ ୨ କୋଟି ୫୦ ଲକ୍ଷ ଲୋକ ରହୁଛନ୍ତି, ଆଉ ପ୍ରତି ଲୋକଙ୍କର ଏବେ ସାମୁହିକ ଭାବେ ଟେଷ୍ଟିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

 ଏସବୁ ଭିତରେ ଏବେ ଲକଡାଉନ କାରଣରୁ ବିଭିନ୍ନ ସମସ୍ୟା ଦେଖାଦେବା ଆରମ୍ଭ ହେଲାଣି । କାରଣ ଠିକ୍ ସମୟରେ କୌଣସି ସାମଗ୍ରୀ ଏବେ ଏଠାରେ ପହଞ୍ଚୁନାହିଁ । ବିଭିନ୍ନ ସାମଗ୍ରୀର ସଙ୍କଟ ଏବେ ଲୋକଙ୍କର ଚିନ୍ତା ବଢାଇଲାଣି ।  କେବଳ ସଂଘାଇ ନୁହେଁ ବେଜିଂରେ ବି ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି ।  ବେଜିଂରେ ପ୍ରାୟ ୨ କୋଟି ୧୦ ଲକ୍ଷ ଲୋକ ରହୁଛନ୍ତି । କିନ୍ତୁ ସାମୁହିକ ଟେଷ୍ଟିଂ ଆରମ୍ଭ ହେବା ପରେ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଲୋକେ ଅଧିକ ମାତ୍ରାରେ ଜରୁରୀକାଳୀନ ସାମଗ୍ରୀ କିଣୁଥିବାର ଦେଖିବାକୁ ମିଳିଛି । କାରଣ ସଂଘାଇ ଭଳି ବେଜିଂରେ ମଧ୍ୟ ଲକଡାଉନ ଲାଗିବାର ସମ୍ଭାବନା ରହିଛି ।