ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୧୦ ଦିନ : ହତ୍ୟାର କାରଣ ଏଯାଏ ଅସ୍ପଷ୍ଟ; ଅଭିଯୁକ୍ତ ଗୋପାଳ ଦାସଙ୍କୁ ବିଭିନ୍ନ ସ୍ଥାନରେ ରଖି କରାଯାଉଛି ଜେରା

112

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୦ ଦିନ । ହେଲେ ହତ୍ୟାର କାରଣ ଏଯାଏ ଅସ୍ପଷ୍ଟ । ଅଭିଯୁକ୍ତ ଗୋପାଳ ଦାସଙ୍କୁ ବିଭିନ୍ନ ସ୍ଥାନରେ ରଖି ତଦନ୍ତକାରୀ ଟିମ୍ ଜେରା କରୁଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା କଥା ଗୋପାଳ ସ୍ୱୀକାର କରିଥିଲେ ବି କାହିଁକି ମାରିଲେ ସେ କଥା ସ୍ପଷ୍ଟ କରୁ ନାହାଁନ୍ତି । କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଆଗରେ ଗୋପାଳ ହତ୍ୟାକାଣ୍ଡର ଗୁମର ଖୋଲିଥିବା ସୂଚନା ମିଳିଛି ।

ତେବେ ଗୋପାଳର ମାନସିକ ସ୍ଥିତି ପରୀକ୍ଷା ଚାଲିଥିବା ନେଇ କୁହାଯାଉଛି । କ୍ରାଇମବ୍ରାଞ୍ଚ କଣ ଜେରା କରୁଛି, ଗୋପାଳ କଣ କହୁଛି ତାହା ଗୁପ୍ତ ରଖାଯାଉଛି । ତେବେ ହତ୍ୟାକାଣ୍ଡ ସଂପର୍କରେ ଗୋପାଳର ବୟାନକୁ ନେଇ ଅନେକ ମନଗଢ଼ା କଥା ଏବେ ପ୍ରଚାର ହେଉଛି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍‌ ଘରେ ରଖାଯାଉଥିବା ଜଣାଯାଇଛି ।