ବାଗୀ ହେଲେ ବୈଜୟନ୍ତ ! କେନ୍ଦ୍ରାପଡା ଛାଡି ଯିବେ କି ପଶ୍ଚିମ ଓଡିଶା? ଟ୍ୱିଟରେ କହିଲେ, କହିବା ଅର୍ଥ ହେଲା କଦର୍ଥ . . ଦ୍ୱନ୍ଦ୍ୱରେ ଅଛନ୍ତି କି ସାଂସଦ?

83

କନକ ବ୍ୟୁରୋ : ଖୁବ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଦ୍ୱନ୍ଦ୍ୱରେ ରହିବା ସ୍ୱାଭାବିକ କଥା । ଗୋଟିଏ ପଟେ ଦଳ ଭିତରେ କୋଣଠେସା ଆଉ ଅନ୍ୟପଟେ ଭବିଷ୍ୟତର ରଣନୀତି ନେଇ ସନ୍ଦୀହାନ । କିଛି ଏଭଳି ଗୋଟିଏ ସମୟ ଦେଇ ଗତି କରୁଛନ୍ତି ଅଭିଜ୍ଞ ରାଜନେତା । ଗତ କିଛିଦିନର କାର୍ଯ୍ୟଶୈଳୀ ଆଉ ବୟାନବାଜୀ ଦେଖିବାକୁ ଗଲେ ଏହା ସ୍ପଷ୍ଟ । ରାଜନୈତିକ ସମୀକ୍ଷକଙ୍କ ମତରେ, ଏକଦା ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ରାଜନୀତିରେ ବେଶ ପ୍ରଭାବୀ ଥିବା କେନ୍ଦ୍ରାପଡା ସାଂସଦ ନିଜର ଏହି ଦ୍ୱନ୍ଦ୍ୱ ପାଇଁ ଆଜି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବିଜେଡିରେ ରହିବେ କି ବିଜେପିକୁ ଯିବେ, ସାଂସଦଙ୍କୁ ଏହା ହରଡଘଣାରେ ପକାଇଛି ।

Baijayanta tweetଗତ ଶନିବାର ବୈଜୟନ୍ତ ପଣ୍ଡା ସମ୍ବଲପୁରରେ କହିଥିଲେ, ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ମୋ ମାମୁଁ ଘର । ଏଠି ମତେ ବହୁତ ସ୍ନେହ ମିଳେ । ରାଜନୈତିକ ପ୍ରଶ୍ନର ଉତ୍ତର କିଛି ଦେବାକୁ ଚାହୁଁନି, ହେଲେ ସୁଯୋଗ ମିଳିଲେ ସମ୍ବଲପୁର ଓ ପଶ୍ଚିମ ଓଡିଶାବାସୀଙ୍କ ସେବା କରିବାକୁ ଚାହିଁବି । ବୈଜୟନ୍ତଙ୍କ ଏହି ପଦିଏ କଥା ଗଣମାଧ୍ୟମରେ ବିଜୁଳି ଭଳି ଖେଳିଗଲା । ପ୍ରଶ୍ନ ଉଠିଲା, ହଠାତ୍ ବୈଜୟନ୍ତଙ୍କ ମାମୁଁଘର କଥା କାହିଁକି ମନେପଡିଲା? କେନ୍ଦ୍ରାପଡା ରାଜନୀତିରୁ ନିଜକୁ ଦୁରେଇ ରଖିବାକୁ ଉଦ୍ୟମ କରୁଛନ୍ତି କି? ବୈଜୟନ୍ତ ନିଜ ପାଇଁ ନୁଆ ନିର୍ବାଚନ ମଣ୍ଡଳୀ ଖୋଜୁଛନ୍ତି କି? ବିଜୁ ଜନତା ଦଳ ଭିତରେ ଅଣନିଶ୍ୱାସୀ ହେଉଥିବା ଏହି ନେତା ନୂଆ କିଛି ଗୋଟିଚାଳନା କରୁଛନ୍ତି କି?

Baijayanta tweetଘନ ଘନ ଚର୍ଚ୍ଚା ଭିତରେ ବୈଜୟନ୍ତ କହିଲେ, ତାଙ୍କ ବୟାନକୁ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି । ଟ୍ୱିଟ ଜରିଆରେ କହିଛନ୍ତି, କିଛି ଲୋକ ତାଙ୍କ ବକ୍ତବ୍ୟରୁ ଅର୍ଥ କାଢିଛନ୍ତି । ବାସ୍ତତରେ ଏମିତି କିଛି ବି ସେ କହିନଥିଲେ । କେନ୍ଦ୍ରାପଡାବାସୀ ତାଙ୍କୁ ଅନେକ ଭଲପାଇବା ଓ ସ୍ନେହ ଦେଇଛନ୍ତି । କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଗର୍ବର ବିଷୟ । ଆସନ୍ତା ନିର୍ବାଚନରେ କେଉଁଠୁ ଲଢିବେ, ତାହା ଦଳ ଓ ଲୋକଙ୍କ ନିଷ୍ପତ୍ତି ଉପରେ ହିଁ ନିର୍ଭର କରେ । ତେବେ ସବୁବେଳେ ଚୁପ୍ ରହୁଥିବା ବୈଜୟନ୍ତ ନିଜର ଅତିପ୍ରିୟ ଟ୍ୱିଟର ଜରିଆରେ ସବୁବେଳେ ବୟାନବାଜି କରୁଥିବା ବେଳେ, ସମ୍ବଲପୁରରେ କେମିତି ଗହନ କଥା କହିଦେଲେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହାପରେ ସଫେଇ ଦେବାକୁ ଯାଇ ସେ କହୁଛନ୍ତି, ତାଙ୍କ ବକ୍ତବ୍ୟର ଭିନ୍ନ ଅର୍ଥ ବାହାର କରାଯାଇଛି ।

baijayanta panda tweetତେବେ ଏହା କଣ ବୈଜୟନ୍ତ ଦ୍ୱନ୍ଦ୍ୱରେ ରହୁଥିବାର ଏକ ନମୁନା କି? ସମ୍ବଲପୁରରେ ଯାହା ପ୍ରଶ୍ନ ସାମ୍ବାଦିକ ମାନେ ରଖିଥିଲା, ଯାହାର ଭିନ୍ନ ଉତ୍ତର ଦିଆଯାଇପାରିଥାନ୍ତା । ଏବାବଦରେ ମଧ୍ୟ ବେଶ ସଚେତନ ସାଂସଦ ପଣ୍ଡା । କଣ କହିବେ, କେଉଁଠି କହିବେ ଆଉ କିଭଳି କହିବେ ଏବାବଦରେ ବୋଧହୁଏ ବୈଜୟନ୍ତ ବେଶ ଜ୍ଞାନୀ । ସମ୍ବଲପୁରରେ କିଛି ପ୍ରଶ୍ନରେ ବୈଜୟନ୍ତ ପଣ୍ଡା ମାପିଚୁପି ବୟାନ ଦେଇଥିଲେ, ହେଲେ ରାଜନୀତିର ଏହି ଗହନ କଥା କହିବା ତାଙ୍କ ଉଦ୍ଦେଶ୍ୟର ଏକ ଅଂଶ ଥିଲା ନା ଭୁଲ ବଶତଃ ମନର କଥା ସେ ଗଣମାଧ୍ୟମ ସାମ୍ନାକୁ ନେଇ ଆସିଲେ. ତାକୁ ନେଇ ଏବେ ବିଜେଡି ଅନ୍ଦର ମହଲ ଓ ରାଜନୈତିକ ସ୍ତରରେ ଚର୍ଚ୍ଚା ।

ଯଦି ବୈଜୟନ୍ତଙ୍କ ଟ୍ୱିଟକୁ ବିଶ୍ୱାସ କରାଯାଏ ତେବେ ବୁଝାପଡିବ ଯେ, ତାଙ୍କ ବୟାନକୁ କଦର୍ଥ କରାଗଲା । ହେଲେ ତାଙ୍କ ମାଲିକାନାରେ ଥିବା ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ବି କଣ ତାଙ୍କ ବୟାନକୁ ବୁଝିପାରିଲାନି । ଶନିବାର ସନ୍ଧ୍ୟାରେ ଏହି ଚ୍ୟାନେଲର ବ୍ରେକିଂ ନ୍ୟୁଜ ଥିଲା, ବୈଜୟନ୍ତ ଛାଡିଲେ ଗୁଗଲି । ଏହାର ଅର୍ଥ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି । କଣ ଗୁଗଲି ଛାଡିଲେ ବୈଜୟନ୍ତ ଆଉ ଏଥିରେ କାହାର ୱିକେଟ୍ ପଡିବ? ଏହା ମଧ୍ୟ ଚର୍ଚ୍ଚାର ପରିଧି ଭିତରକୁ ଆସିବା ଉଚିତ୍ ।

bjd vs baijayantaସମ୍ବଲପୁରରେ ବୈଜୟନ୍ତ ପଣ୍ଡା କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁଲେନି, ଆଉ ସେହି ପ୍ରଶ୍ନକୁ ଏଡାଇଗଲେ । ଯଦି ପଶ୍ଚିମଓଡିଶା ବାବଦରେ ସେ କୈାଣସି ଉତ୍ତର ଦେବାକୁ ଚାହୁଁନଥିଲେ ତେବେ ସେ ଚୁପ୍ ରହିପାରିଥାନ୍ତେ । ପ୍ରଶ୍ନକୁ ଏଡାଇ ଯାଇପାରିଥାନ୍ତେ । ହେଲେ ଉତ୍ତର ଦେଇ ବିବାଦ ଭିତରକୁ ଆସିବା ପରେ ତାକୁ ନେଇ ବାଖ୍ୟା କରି ଟ୍ୱିଟ୍ କରିବା କିଛି ବୁଝାପଡୁନାହିଁ । ଅନ୍ତତଃ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ କହିପାରିଥାନ୍ତେ, ଯେ ବିଜେଡି ତାଙ୍କୁ ଯେଉଁଠୁ ଟିକେଟ ଦେବ ସେ ଲଢିବେ । ନଚେତ କେନ୍ଦ୍ରାପଡା ଆସନରୁ ହିଁ ସେ ଆଗାମୀ ନିର୍ବାଚନ ଲଢିବେ । ବା ସମୟ ଆସିଲେ ନିଷ୍ପତ୍ତି ନେବେ ଦଳୀୟ ସୁପ୍ରିମୋ । ଏଭଳି ଅନେକ ମାଧ୍ୟମ ଜରିଆରେ ଉତ୍ତର ଦିଆଯାଇପାରିଥାନ୍ତା । ହେଲେ ବୈଜୟନ୍ତ ଯେଉଁଭଳି ଢଙ୍ଗରେ ଉତ୍ତର ରଖିଲେ, ତାହା ବୁଝିବାକୁ ଯଥେଷ୍ଟ ଯେ ସେ ଆଗାମୀ ଦିନରେ ଆଉ କେନ୍ଦ୍ରାପଡାରୁ ନିର୍ବାଚନ ଲଢିବେ ନାହିଁ ।


ଦୀର୍ଘଦିନ ଧରି ବୈଜୟନ୍ତ ପଣ୍ଡା ଦଳରେ ଅସନ୍ତୁଷ୍ଟ ଅଛନ୍ତି । କୈାଣସି ବି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତିରେ ତାଙ୍କୁ ଲୋଡାଯାଉନି । ଦଳର କାର୍ପଟଦାର ଗୋଷ୍ଠୀ ତାଙ୍କୁ ପଚାରୁନାହାନ୍ତି । ଖାସ ଏଥିପାଇଁ ବୈଜୟନ୍ତ ସବୁବେଳେ ଦଳର ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି । ନିକଟରେ ହୋଇଥିବା ହରତାଳ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ବୈଜୟନ୍ତ ଯେଉଁ ଆଭିମୁଖ୍ୟ ଗ୍ରହଣ କଲେ, ତାକୁ ନେଇ ଦଳ ଅକଳରେ ପଡିଗଲା । ହରତାଳ ବେଳେ ଯେଉଁ ହିଂସାକାଣ୍ଡ ଘଟିଲା, ତାକୁ ନେଇ ସେ ଲଜ୍ଜିତ । ବିଜୁ ବାବୁ ବଂଚିଥିଲେ ସେ ବି ଲଜ୍ଜିତ ହୋଇଥାନ୍ତେ । ୨୦ ବର୍ଷ ପୁର୍ବେ ଯେଉଁ ଦଳକୁ ଗଢିବାକୁ ସେ ନବୀନଙ୍କ ସାଥ୍ ଦେଇଥିଲେ, ଆଜି ସେହି ଦଳ ବଦଳିଯାଇଛି । ପ୍ରକୃତ ବିଜେଡିରେ କିଭଳି ପ୍ରତିବାଦ୍ କରାଯାଉଥିଲା ଆଉ ଆଜିର ବିଜେଡିରେ କିଭଳି ଗୁଣ୍ଡାରାଜ୍ ଚାଲିଛି ତାର ଉଦାହରଣ ରଖିଥିଲେ ସାଂସଦ ପଣ୍ଡା । ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରିଥିଲା, ବୈଜୟନ୍ତ ଆଉ ବିଜେଡି ଲାଇନରେ ନାହାନ୍ତି । ଯେଉଁ ଦଳରେ ୨୦ ସାଂସଦ ଆଉ ୧୧୭ ବିଧାୟକ ଅଛନ୍ତି, କେହି ପ୍ରତିବାଦ କଲେନି, ଏକା ବୈଜୟନ୍ତ କାହିଁକି?


ରାଜ୍ୟ ରାଜନୀତିରେ ରୋଚକ ରଖୁଥିବା ପ୍ରତି ବ୍ୟକ୍ତି ଜାଣିଛନ୍ତି, ବୈଜୟନ୍ତ ଆଉ ବିଜୁ ଜନତା ଦଳ ରାସ୍ତାରେ ଚାଲୁ ନାହାନ୍ତି । କାଳି ଗାଇର ଭିନ୍ନ ଗୋଠ ଭଳି ସେ ଅଲଗା ଅଲଗା ଯାଉଛନ୍ତି । ତେବେ ଏହା ଏକଲା ଚଲୋ ନୀତି ନୁହେଁ କିମ୍ବା ନୀତି ଆଦର୍ଶର ଲଢେଇ ବି ନୁହେଁ । ଏହାକୁ ରାଜନୈତିକ ସମୀକ୍ଷକ ସୁବିଧାବାଦ ରାଜନୀତିର ଆଖ୍ୟା ଦେଇଛନ୍ତି । ଯେତେବେଳେ ସାଂସଦ ଶଙ୍ଖ ଫୁଙ୍କି ଫୁଙ୍କି ହାଲିଆ ହୋଇଗଲେ, ସେତେବେଳେ ପଦ୍ମ ପୋଖରୀକୁ ଡେଇଁ ପଡିବାକୁ ଉଦ୍ୟମ କଲେ । ଆଉ ଏହି ରାସ୍ତାରେ ସେ ଆଗେଇ ଚାଲିଛନ୍ତି । ବିଜେଡିକୁ ଅଡୁଆରେ ପକାଇ ସେ ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଥିବା ସମୀକ୍ଷକ ମତ ରଖିଛନ୍ତି ।

baijayanta ବୈଜୟନ୍ତଙ୍କ ଏହି ଗୋଟିଚାଳନା ପଛରେ ରହିଛି, ଏକ ବଡ ଉଦ୍ଦେଶ୍ୟ । ବିଜେଡିର ନିଷ୍ପତ୍ତିକୁ ସମାଲୋଚନା କରି ଯଦି ସେ ଦଳରୁ ନିଲମ୍ବିତ ହୁଅନ୍ତି, ତେବେ ଲୋକଙ୍କ ଅନୁକମ୍ପା ହାସଲ କରି ଅନ୍ୟ ଦଳ ଅର୍ଥାତ୍ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । ଯାହା ତାଙ୍କ ପାଇଁ ରାଜନୈତିକ baijayantaବାତାବରଣକୁ ଅନୁକୁଳ ରଖିବ । ଦଳର ଭୁଲ କାମକୁ ସମାଲୋଚନା କରିବାକୁ କ୍ଷମତାଶାଳୀ ଗୋଷ୍ଠୀ ସହ୍ୟ କଲେନି ବୋଲି ବାର୍ତ୍ତା ଦେଇ ବୈଜୟନ୍ତ ଅନୁକମ୍ପା ହାସଲ କରିବେ ବୋଲି ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ହେଲେ ବିଜେଡିର ଟପ୍ ନେତା ଏବାବଦରେ ଅବଗତ ଥିବାରୁ, ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ପାଇଁ ଅନୁକୁଳ ବାତାବରଣ ତିଆରି କରିବା ସପକ୍ଷରେ ନାହିଁ । ବରଂ ବୈଜୟନ୍ତଙ୍କୁ ଅଡୁଆରେ ପକାଇ ଆଉ ତାଙ୍କ ଭାବମୁର୍ତ୍ତିକୁ ନଷ୍ଟ କରିବାକୁ ବିଜେଡିର ସୋସିଆଲ ମିଡିଆ ସେଲ (ଅନ୍ଅଫିସିଆଲ) ଉଦ୍ୟମ ଆରମ୍ଭ କରିଛି ।

baijayanta panda ପ୍ରତିଦିନ ସକାଳେ ବୈଜୟନ୍ତଙ୍କ ନାଁରେ ବୁଲୁଛି ନୁଆ ନୁଆ ଲେଖା । ବିଜେପିର ସିବିଆଇ ଷଡଯନ୍ତ୍ରର ବିଷୟରେ ପଦୁଟିଏ ଟ୍ୱିଟ କଲେନାହିଁ ବୈଜୟନ୍ତ । ବେପାର ମାଡ ଖାଇବା ଭୟରେ ଏପରି କରିଥିବା ଗୋଟିଏ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ । ଯେଉଁଥିରେ କୁହାଯାଇଛି, ବିଜେପିକୁ ପଳା । ଏପରିକି ବିଜେଡି ବନ୍ଦକୁ ବଦନାମ କରିବାକୁ ଧର୍ମେନ୍ଦ୍ରଙ୍କ ସହ ମିଶି ବୈଜୟନ୍ତ ଷଡଯନ୍ତ୍ର ରଚିଥିବା ଆଉ ଏକ ପୋଷ୍ଟରେ କୁହାଯାଇଛି । ୨୦ ବର୍ଷ ତଳେ ଦଳ ତିଆରି ବେଳେ ବୈଜୟନ୍ତ ପିକଚରରେ ନଥିବା ଆଉ ଏକ ପୋଷ୍ଟରେ କୁହାଯାଇଛି । ଯାହାର ଅର୍ଥ ବିଜୁ ଜନତା ଦଳର ସୋସିଆଲ ସେଲ (ଅନଅଫିସିଆଲ) ଫିଦିନ ସାଂସଦଙ୍କ ଭାବମୁର୍ତ୍ତି ନଷ୍ଟ କରିବାକୁ ଉଦ୍ୟମ କରୁଛି । ଆଉ ଏହି ଫଟୋକୁ ଦଳୀୟ ନେତା ଢେର୍ ସେୟାର କରୁଛନ୍ତି ।

ଯାହା ଗୋଟିଏ କଥା ପ୍ରମାଣିତ କରୁଛି, ବିଜୁ ଜନତା ଦଳରେ ବୈଜୟନ୍ତଙ୍କ ସମୟ ସରି ସରି ଆସୁଛି । ମନେ ମନେ ସାଂସଦ ମନସ୍ଥ କରିଛନ୍ତି, ପଦ୍ମ ପୋଖରୀକୁ ଡିଆଁ ମାରିବେ । ହେଲେ ସମୟ ଆଉ ସୁଯୋଗ କିନ୍ତୁ ଅନୁକୁଳ ହେଉନି । ଏବେ ଆସିବା ମୁଳ ପ୍ରସଙ୍ଗକୁ । ଆର୍ଥାତ୍ ବୈଜୟନ୍ତ କିଭଳି ଦ୍ୱନ୍ଦ୍ୱରେ ଅଛନ୍ତି । ବୈଜୟନ୍ତ କହିଲେ, ସୁଯୋଗ ମିଳିଲେ ସେ ପଶ୍ଚିମଓଡିଶା ବାସୀଙ୍କ ସେବା କରିବେ । ରାଜନୀତିରେ ସେବା ଅର୍ଥ, ବିଧାୟକ ସାଂସଦ ଭାବେ ନିର୍ବାଚନ ଲଢି ଜିତିବା ପରେ ସେ ଅଂଚଳ ପାଇଁ କାମ କରିବା । ପ୍ରଶ୍ନ ଉଠୁଛି, ବୈଜୟନ୍ତଙ୍କୁ ପଶ୍ଚିମ ଓଡିଶାରୁ ବିଜେଡି ଟିକେଟ ଦେବ କି? ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏହା ଅସମ୍ଭବ ଲାଗୁଛି । ତାହେଲେ ବୈଜୟନ୍ତ କଣ ଅନ୍ୟ ଦଳରୁ ଟିକେଟ ଆଶା କରିଛନ୍ତି କି?

baijayantସମ୍ବଲପୁର ଓ ବରଗଡ ଲୋକସଭା ଆସନ ଉପରେ ବୈଜୟନ୍ତଙ୍କ ନଜର ରହିଥିବା କଥା କୁହାଯାଉଛି । କାହିଁକି ନା କେନ୍ଦ୍ରାପଡାରେ ଆଉ ସାଂସଦଙ୍କ ଆଗ ଭଳି ହାକିମାତି ଚାଲୁନାହିଁ । ୨୦୧୪ରେ ସମ୍ବଲପୁରରୁ ବିଜେପି ଟିକେଟରେ ଲଢିଥିଲେ ସୁରେଶ ପୁଜାରୀ ଆଉ ବରଗଡ ଆସନରୁ ଲଢିଥିଲେ ସୁବାସ ଚୈାହ୍ୱାନ । ସୁରେଶ ପୁଜାରୀ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଆଉ ସୁବାସ ଚୈାହ୍ୱାନ ବିଜେପିରେ ସାମିଲ ହେବା ଆଗରୁ ବଜରଙ୍ଗ ଦଳର ଜଣେ ଟାଣୁଆ ନେତା ଥିଲେ । ବିଶ୍ୱ ହିନ୍ଦୁ ପରିଷଦ ନେତାଙ୍କ ସହ ମଧ୍ୟ ତାଙ୍କ ବେଶ ଭଲ ସଂପର୍କ । ଏହି ଦୁଇ ନେତାଙ୍କର କାଟତି ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ବେଶ ରହିଛି । ତେଣୁ ବୈଜୟନ୍ତ ପଣ୍ଡା ପଶ୍ଚିମ ଓଡିଶାରୁ ଲଢିବାକୁ କହିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଆରମ୍ଭ ହୋଇଥିଲା । ସମ୍ଭବତଃ ଏହାପରେ ବୈଜୟନ୍ତ ନିଜ ଆଭିମୁଖ୍ୟକୁ ଭିନ୍ନ ଢଙ୍ଗରେ ଟ୍ୱିଟରରେ ଉପସ୍ଥାପନ କରିଥିବା କଥା କୁହାଯାଉଛି ।

୨୦୧୯ରେ କେନ୍ଦ୍ରାପଡାରୁ ବୈଜୟନ୍ତ ଲଢିବା ସମ୍ଭାବନା କମ । କାରଣ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାୟକଙ୍କ ସହ ସାଂସଦଙ୍କ ସଂପର୍କ ଖୁବ ଖରାପ । ଏପରିକି ତାଙ୍କୁ ଅଣ୍ଡାମାଡ କରି ଅପମାନିତ କରିଥିଲେ ବିଜେଡିର ଛାମୁଆ ନେତା । ନିଜ ନିର୍ବାଚନମଣ୍ଡଳୀରେ ସାଂସଦ ଅପମାନିତ ହେବାପରେ ତାଙ୍କ କାଟତି ଆଉ ପାରିବାପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେଣୁ କେନ୍ଦ୍ରାପଡା ବାହାରେ ଅନ୍ୟ କୈାଣସି ନିର୍ବାଚନମଣ୍ଡଳୀ ଉପରେ ସାଂସଦଙ୍କ ଆଖି ପଡିଥିବା କୁହାଯାଉଛି । ତେଣୁ ନିଜ ମନର କଥା ସେ ସାମ୍ବାଦିକ ସମ୍ମିଳନୀରେ କହିଦେଇଥିବା ଚର୍ଚ୍ଚା ହେଉଛି ।

baijayanta panda tweetଗତ କିଛି ଦିନ ଧରି ରାଜନୈତିକ ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଲେ ଜଣାପଡୁଛି, ଦଳୀୟ ସ୍ତରରେ ନିଜ ଓଜନ ଧୀରେ ଧୀରେ ହରାଉଛନ୍ତି କେନ୍ଦ୍ରାପଡାର ସାଂସଦ । ବିଜେଡିକୁ ସମାଲୋଚନା କରିବା ଓ ମୋଦି ନୀତିକୁ ପ୍ରଶଂସା କରିବା କାରଣରୁ ବିବାଦ ଭିତରକୁ ଆସିବା ସହ ନବୀନଙ୍କ ଠାରୁ ଦୂରତା ବଢିଥିଲା । ସବୁଠାରୁ ବଡ କଥା ଥିଲା, ଯେତେବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଅଣ୍ଡାମାଡ ଖାଇ ଲଜ୍ଜିତ ହୋଇଥିଲେ ବୈଜୟନ୍ତ । ସାଂସଦ ପାଂଠିରୁ ଅର୍ଥ ଖର୍ଚ୍ଚ କରି ତିଆରି କରିଥିବା ପ୍ରକଳ୍ପ ଉଦଘାଟନ କରିବାକୁ ଯେତେବେଳେ ବୈଜୟନ୍ତ ମାହାଙ୍ଗା ଯାଇଥିଲେ ସେତେବେଳେ ବିଜେଡି କର୍ମୀ ତାଙ୍କୁ ଅଣ୍ଡାମାଡ କରିଥିଲେ । ଆଉ ଏହାପରେ ରାଗିପାଚି ଲାଲ୍ ହୋଇଯାଇଥିବା ସାଂସଦ ଛାଡିଥିଲେ ଟ୍ୱିଟ୍ ବାଣ । ଟାର୍ଗେଟ କରିଥିଲେ କିଛି ପ୍ରଶାସକଙ୍କୁ । କିଭଳି ବିଜୁ ଜନତା ଦଳ ଅଫିସରଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି, ସେନେଇ କରିଥିଲେ ଟ୍ୱିଟ୍ ।

ଦଳ ବିରୋଧରେ ମନ୍ତବ୍ୟ ଓ ଲେଖା ଲେଖିବା କାରଣରୁ ନବୀନ ବୈଜୟନ୍ତଙ୍କୁ  ପୂର୍ବରୁ ଲୋକସଭାରେ ଦଳୀୟ ମୁଖପାତ୍ର ପଦରୁ ମଧ୍ୟ ହଟାଇଥିଲେ । ଯାହା ତାଙ୍କ ପାଇଁ ବେଶ ଅପମାନଜନକ ମଧ୍ୟ ଥିଲା । ମୁଖପାତ୍ର ପଦରୁ ହଟିବା ପରେ ନବୀନଙ୍କୁ ସିଧାସଳଖ ସମାଲୋଚନା ନକରି କହିଥିଲେ, ଅନ୍ୟ ସାଂସଦ ଖବରକାଗଜରେ ଲେଖା ଲେଖୁଥିଲେ ବି ସେମାନଙ୍କ ବିରୋଧରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଏଥିସହ କହିଥିଲେ, ଯଦି ବିଜେଡି ସୁପ୍ରିମୋ ଏହି ନିଷ୍ପତି ନେଇଥାନ୍ତି ତାହେଲେ ସ୍ୱାଗତ କରିବି । ଅର୍ଥାତ୍ ନିଷ୍ପତି ପଛରେ ଆଉ କାହା ହାତ ଥାଇପାରେ ବୋଲି ସେ ଇଙ୍ଗିତ କରିଥିଲେ ।

baijayanta panda reactionଯଦି ଦଳ ଭିତରେ ବୈଜୟନ୍ତ ପଣ୍ଡା କୋଣଠେସା ହେଉଛନ୍ତି ଆଉ ଦଳୀୟ ନିଷ୍ପତ୍ତି ସହ ନିଜକୁ ଖାପ ଖୁଆଇ ପାରୁନାହାନ୍ତି, ତେବେ ଦଳ ଛାଡି ଆଗକୁ ବଢିବାକୁ କାହିଁକି ନିଷ୍ପତ୍ତି ନେଉନାହାନ୍ତି? ବିଜେପିକୁ ଯିବାକୁ ଅବସର ଖୋଜୁଛନ୍ତି କି ଏହି ଅଭିଜ୍ଞ ସାଂସଦ । ସମୟ ଆଉ ସୁଯୋଗକୁ ଅପେକ୍ଷା କରିଛନ୍ତି କି? ନା କଣ କରିବେ, କେଉଁ ଦଳରେ ରହିବେ, ୨୦୧୯ ନିର୍ବାଚନ ଯାଏଁ ଅପେକ୍ଷା କରିବେ କି, ଏତମାମ ଦିଗକୁ ନେଇ ସାଂସଦ ଦ୍ୱନ୍ଦ୍ୱରେ ଥିବା ସ୍ପଷ୍ଟ । ବିଶ୍ୱସ୍ତ ସୁତ୍ରରୁ ସୂଚନା କହୁଛି, ଅତୀତରେ ମଧ୍ୟ ବୈଜୟନ୍ତ ଦଳ ଛାଡିବାକୁ ପାଦ ଆଗକୁ ବଢାଇଥିଲେ । ହେଲେ ସେହି ସମୟରେ କନ୍ଧମାଳ ଉପନିର୍ବାଚନ ଫଳାଫଳ ବୈଜୟନ୍ତଙ୍କୁ ଅଟକାଇ ଦେଇଥିଲା । ବିଜେଡି ଅନ୍ଦର ମହଲ ଏହି ତଥ୍ୟ ମଧ୍ୟ ପାଇଥିଲା । ଅର୍ଥାତ୍, ଭଲ ସମୟକୁ ଅପେକ୍ଷା କରିବା ଚକ୍କରରେ ବୈଜୟନ୍ତ ଅଧିକ ଦ୍ୱନ୍ଦ୍ୱ ଭିତରକୁ ଚାଲିଯାଉଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି ।