FIFA ବିଶ୍ୱକପ୍ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆଣିଦେଇଛି ଖୁସି । କାତାର ଷ୍ଟାଡିୟମ ତିଆରିରେ ଲାଗିଛି ୨୫ ଶହରୁ ଅଧିକ ଓଡିଆଙ୍କ ପରିଶ୍ରମ

1,302

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଫିଫା ମହାକୁମ୍ଭ । ଫିଫା ୱାର୍ଲ୍ଡକପ୍ ଖେଳାଯାଉଥିବା କାତାରର ଏହି ଷ୍ଟାଡିୟମ ପଛରେ ରହିଛି ଅନେକ ଓଡିଆଙ୍କ ପରିଶ୍ରମ । ଏବେ ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ।

କାତାର ଷ୍ଟାଡିୟମରେ ଫିଫା ୱାର୍ଲ୍ଡକପ୍ ଉଦଘାଟନ ଆରମ୍ଭ ହେବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । କାତାରରେ ଷ୍ଟାଡିୟମ ନିର୍ମାଣ ଓ ଅନ୍ୟ ଭିତ୍ତିଭୂମି କାର୍ଯ୍ୟରେ ଲାଗିଥିଲେ କେନ୍ଦ୍ରାପଡାର ହଜାର ହଜାର ପ୍ଲମ୍ବର । ଜିଲ୍ଲାର ପାଖାପାଖି ୨୫ ଶହରୁ ଅଧିକ ପ୍ଲମ୍ବର ଏଠାରେ କାର୍ଯ୍ୟରତ ଅଛନ୍ତି ।

୨୦୧୦ରେ କାତାରକୁ ଫିଫା ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ମିଳିବା ପରଠାରୁ ସେମାନଙ୍କୁ ଏଚବିକେ ଇଞ୍ଜିନିୟରିଙ୍ଗ, ଟ୍ରାଇଡେଣ୍ଟ, ଏଲଆଣ୍ଡଟି ଓ ଅନ୍ୟ ନିର୍ମାଣାଧିନ କମ୍ପାନୀ ଦ୍ୱାରା ନିୟୋଜନ କରାଯାଇଥିଲା । କାତାର ଷ୍ଟାଡିୟମରେ କାମ କରିବାକୁ ଯିବାକୁ କେନ୍ଦ୍ରାପଡାର ୫୦୦ ପ୍ଲମ୍ବରଙ୍କ ଭିସା ବନ୍ଦୋବସ୍ତ କରିଥିଲେ କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ଟ୍ରାଭେଲ୍ସର ମ୍ୟାନେଜର । ସେହିପରି ପାଖାପାଖି ୪୪୦ ଜଣ ପ୍ଲମ୍ବର, ଫିଟର ଓ ଫୋରମ୍ୟାନଙ୍କୁ କେବଳ କାତାର ଷ୍ଟାଡିୟମର ପରିମଳ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଏମାନଙ୍କ ସହଯୋଗରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ପାଇଁ ପ୍ରସ୍ତୁତ ହାଇଥିବା କହିଛନ୍ତି ପ୍ଲମ୍ବର ବିଶ୍ୱନାଥ ମହଲିକ ।