ଦରଦାମ ବୃଦ୍ଧିକୁ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ: ଗିରଫ ହେଲେ ରାହୁଲ ଗାନ୍ଧୀ, କଳା ପୋଷାକ ପିନ୍ଧି ରାସ୍ତାକୁ ଓହ୍ଲାଇଲେ ସାଂସଦ

249

କନକ ବ୍ୟୁରୋ: ଦରବୃଦ୍ଧିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଏକାଧିକ ନେତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ସାଂସଦଙ୍କ ସହ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ । କିନ୍ତୁ ପୂର୍ବରୁ ପୋଲିସ ଏହି ଇଲାକାରେ ନିସିଦ୍ଧ କରିବା ସହ ୧୪୪ ଧାରା ଲାଗୁ କରିଥିଲା । ତେଣୁ ମାର୍ଚ୍ଚରେ ଯାଉଥିବାରୁ ରାହୁଲ ଗାନ୍ଧୀଙ୍କୁ ହେପାଜତରେ ନେଇଛି ଦିଲ୍ଲୀ ପୋଲିସ ।

ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଦେଶର ମହଙ୍ଗା ମାଡ ସହ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ଏହି ବିରୋଧ ପ୍ରଦର୍ଶନ କରୁଛି । ରାଜନୈତିକ ଦଳ ହିସାବରେ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ଲୋକଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇବା । ହେଲେ ସରକାର ସତ୍ୟର ସ୍ୱରକୁ ଦମନ କରୁଛନ୍ତି ବୋଲି ଚିଦାମ୍ବରମ୍ କହିଛନ୍ତି ।

ବର୍ଷା ସତ୍ତେ୍ୱ ଦିଲ୍ଲୀ ,ବିହାର, ତେଲେଙ୍ଗାନା, ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସର କର୍ମକର୍ତ୍ତାମାନେ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ତୟାର ରହିଛି । କଂଗ୍ରେସ କାର୍ଯ୍ୟାଳୟ ପାଖରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ନେତାମାନଙ୍କୁ ଗିରଫ କରିନେବା ଉଦ୍ଦେଶ୍ୟରେ ବସ୍ ଗୁଡିକୁ ସଜାଗ ରଖାଯାଇଛି ।