ଚର୍ଚ୍ଚାରେ ଏନସିପି ନେତା ଶରଦ ପାୱାରଙ୍କ ବୟାନ । କହିଲେ ଦେଶରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଅଯଥାରେ ଉଠାଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା

132

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ବୟାନବାଜୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କ ଯୋଗ୍ୟତାର ପ୍ରମାଣକୁ ସାର୍ବଜନୀନ କରିବାକୁ ଦାବି କରିଥିଲେ । ଏହା ପରେ ବିରୋଧୀ ଦଳ ମଧ୍ୟ ସମାନ ଦାବି କରୁଛନ୍ତି । କିଛି ଦିନ ହେବ ଏହି ପ୍ରସଙ୍ଗକୁ ନେଇ ବୟାନବାଜୀ ଚାଲିଥିବାବେଳେ ଏବେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଏକ ବୟାନକୁ ନେଇ ନୂଆ ମୋଡ ଆସିଛି । ଶରଦ କହିଛନ୍ତି ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ଯେତିକି ଜରୁରୀ ନୁହେଁ ତାଠୁ ଅଧିକ ଦେଶରେ ବୃଦ୍ଧି ପାଉଥିବା ବେକାରୀ ଓ ଦରଦାମ ବୃଦ୍ଧି ସମସ୍ୟା ବଂର ବଡ ପ୍ରସଙ୍ଗ ଅଟେ । କାହାର ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗ ଉଠାଇ ଏହା ଉପରେ ହଟଗୋଳ କରିବା, ମୁଖ୍ୟ ପ୍ରସଙ୍ଗରୁ ଦୁରେଇଯିବା ଦ୍ୱାରା ଦେଶର ସମସ୍ୟା ସମାଧାନ ହେବନି । ତେଣୁ ମୁଖ୍ୟ ପ୍ରସଙ୍ଗ ଉପରେ ଫୋକସ କରିବା ଆବଶ୍ୟକ ବୋଲି ପାୱାର କହିଛନ୍ତି । ସେପଟେ ଏନସିପି ମୁଖ୍ୟଙ୍କ ଏହି ବୟାନ ପରେ ସହଯୋଗୀ ଦଳ ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।ଚର୍ଚ୍ଚା ହେଉଛି ବିରୋଧୀ ଏକତା ଭିତରେ ଫାଟ ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ଆଦାନୀ ପ୍ରସଙ୍ଗ ଉପରେ ମଧ୍ୟ ପାୱାର ବଡ ବୟାନ ଦେଇଥିଲେ । ପାୱାର କହିଥିଲେ ଜାଣିଶୁଣି ଭାରତୀୟ ଶିଳ୍ପପତିଙ୍କୁ ଟାର୍ଗେଟ କରୁଛନ୍ତି ବିଦେଶୀ ସଂସ୍ଥା । ତେଣୁ ଏହାର ତଦନ୍ତ ପାଇଁ ଜେପିସି ଗଠନର କୌଣସି ଆବଶ୍ୟକତା ନାହିଁ ।