ଜବର ଦଖଲରେ ଅଛି ୧୯ ହଜାର ୪୫୦ ଏକର ଜମି । ବିଧାନସଭାରେ ହିସାବ ଦେଲେ ରାଜସ୍ୱମନ୍ତ୍ରୀ ।

ବିଧାନସଭାରେ ରାଜସ୍ୱମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

159

କନକ ବ୍ୟୁରୋ: ଚାଲିଛି ଷୋଡ଼ଶ ବିଧାନସଭାର ଅଧିବେଶନ । ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଛନ୍ତି ବିରୋଧୀ । ତେବେ ରାଜ୍ୟ ସରକାରଙ୍କ ଅଧିନରେ କେତେ ଜମି ରହିଛି ଏବଂ କେତେ ଜମି ବ୍ୟବସାୟିକ ସଂସ୍ଥା ଓ ଶିଳ୍ପ ସଂସ୍ଥାଙ୍କ ଜବର ଦଖଲରେ ରହିଛି ସେନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ଆଉ ଏନେଇ ପୁଙ୍ଖାନୁପୁଙ୍ଖ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାୱାରୀ ବିବରଣୀ ତଥ୍ୟ ମୁତାବକ, ରାଜ୍ୟର ୨୪ଟି ଜିଲ୍ଲାରେ ମୋଟ୍ ୧୯ ହଜାର ୪୫୦ ଏକର ଜମି ବ୍ୟବସାୟିକ ସଂସ୍ଥା ଓ ଶିଳ୍ପ ସଂସ୍ଥାଙ୍କ ଜବର ଦଖଲରେ ରହିଛି । ଯେଉଁଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ହଜାର ୮୭୭ ଏକର ବିଭିନ୍ନ ଶିଳ୍ପ ସଂସ୍ଥାଙ୍କ ଜବର ଦଖଲରେ ରହିଛି । ଅନ୍ୟପଟେ ନୂଆପଡ଼ାରେ ସର୍ବନିମ୍ନ ୪୭ ଡେସିମିଲ୍ ଜମି ଜବର ଦଖଲରେ ରହିଥିବା ମନ୍ତ୍ରୀଙ୍କ ଜିଲ୍ଲାୱାରୀ ରିପୋର୍ଟରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ରଖିଥିବା ଉତ୍ତରରେ ଉଲ୍ଲେଖ କି, ରାଜ୍ୟର ୨୪ଟି ଜିଲ୍ଲାରେ ମୋଟ୍ ୧ କୋଟି ୧୩ ଲକ୍ଷ ୨୭ ହଜାର ୫୧୨ ଏକର ଜମି ରାଜସ୍ୱ ବିଭାଗ ଅଧିନରେ ରହିଛି । ଯେଉଁଥିରେ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୧୬ ଲକ୍ଷ ୩୦ ହଜାର ୨୯୨ ଏକର ଜମି ବିଭାଗ ଅଧିନରେ ରହିଛି । ସେହିଭଳି ଝାରସୁଗୁଡ଼ାରେ ସର୍ବନିମ୍ନ ୧୪ ହଜାର ୧୯୯ ଏକର ଜମି ରାଜସ୍ୱ ବିଭାଗ ଅଧିନରେ ସୁରକ୍ଷିତ ରହିଛି । ତେବେ ରାଜ୍ୟକୁ ଜବରଦଖଲ ମୁକ୍ତ କରିବାକୁ ସରକାର ଘୋଷଣା କରିଥିଲେ କି? ଏବାବଦରେ କି ପକ୍ଷେପ ନେଇଛନ୍ତି ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀ ପ୍ରଶ୍ନ ଏଭଳି ବାଣରେ ଘାଇଲା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।