ସାଙ୍ଗ ନା ସଇତାନ ? ଫେଲ ମାରିଲା ହତ୍ୟା ଷଡଯନ୍ତ୍ର, ଗିରଫ ହେଲେ ୨ ବନ୍ଧୁ

199

କନକ ବ୍ୟୁରୋ: ଫେଲ ମାରିଲା ହତ୍ୟା ଷଡଯନ୍ତ୍ର । ବନ୍ଧୁକୁ ହତ୍ୟା କରିବା ପାଇଁ ଦୁଇବନ୍ଧୁଙ୍କ ଷଡଯନ୍ତ୍ର ଫସର ଫାଟିଲା । ନିଜ ସାଙ୍ଗର ଜୀବନ ନେବା ପାଇଁ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଦୁଇବନ୍ଧୁଙ୍କ ମର୍ଡର ପ୍ଲାନରେ ପାଣି ପଡି ଯାଇଛି । ଆଉ ଦୁଇ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିଛି ପୋଲିସ ।

ତେବେ ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳ ଏକ ଘରୋଇ ଇଂଜିନିଅରିଂ କଲେଜରେ ଜଣେ ସାଙ୍ଗକୁ ହତ୍ୟା କରିବା ପାଇଁ ଦୁଇ ବନ୍ଧୁ ଷଡଯନ୍ତ୍ର ରଚିଥିଲେ । ଆରୟନ୍ ସିଂହ ଓରଫ ମୋଲୁ ଏବଂ ଉତ୍ସବ ସିଂହ ଓରଫ ବାବୁ ଦୁଇ ଛାତ୍ରଙ୍କୁ କେତେକ ସଂଗୀନ ଅଭିଯୋଗ ଆଧାରରେ କଲେଜ କର୍ତ୍ତୃପକ୍ଷ ବାହାର କରି ଦେଇଥିଲେ । ତେବେ ଉକ୍ତ ୨ ଜଣଙ୍କ ସହ ହଷ୍ଟେଲରେ ରହୁଥିବା ଜଣେ ସହପାଠୀଙ୍କ ଝଗଡା ହୋଇଥିଲା । ଏହାକୁ ନେଇ ବେଶ୍ କ୍ଷୁବ୍ଧ ଥିଲେ ଦୁଇ ସାଙ୍ଗ ମୋଲୁ ଓ ବାବୁ ।

ବାବୁର ଘର ବିହାର ହୋଇଥିବା ବେଳେ ସେ ଗାଁକୁ ଯାଇ ସେଠାରୁ ଏକ ଚୋରା ବନ୍ଧୁକ ଆଣିଥିଲା । ତେବେ ନିଜ ଭିତରେ ସୃଷ୍ଟି ହୋଇଥିବା ବିବାଦକୁ ସବୁଦିନ ପାଇଁ ତୁଟାଇବାକୁ ହଷ୍ଟେଲ ପହଂଚିଥିଲେ ମୋଲୁ ଓ ବାବୁ । ନିଜ ସାଙ୍ଗକୁ ହତ୍ୟା କରିବା ନେଇ ପୂର୍ବ ପ୍ରସ୍ତୁତି କରି ପହଂଚିଥିଲେ । ମାତ୍ର ଫେଲ ମାରିଥିଲା ପୂରା ଅପରେସନ । ହଷ୍ଟେଲ ନିକଟରେ ପୋଲିସ ପହଂଚି ଦୁଇ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ପୋଲିସ ୩ଟି ଗୁଳି ସମେତ ଏକ ବନ୍ଧୁକ ଜବତ କରିଛି । ଇନ୍ଫୋସିଟି ଥାନାରେ ଏନେଇ ଧାରା ୫୦୬ ଆଇପିଏସ, ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ୨୫ ଓ ୨୭ ଧାରାରେ ମାମଲା ରୁଜୁ ହୋଇଛି ।