ମୋକିମ୍ ଓ ଚିରଞ୍ଜୀବଙ୍କ ହାତ ଛାଡି ଦେଲା କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

206

କନକ ବ୍ୟୁରୋ : ଦଳ ସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେବା, ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ମହଙ୍ଗା ପଡିଛି । ଦୁଇ ନେତା କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ବା ଏଆଇସିସି ଉଭୟ ମୋକିମ୍ ଓ ଚିରଞ୍ଜୀବଙ୍କୁ ନିଲମ୍ବନ କରିଛି । ଏନେଇ ଏଆଇସିସିର ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ତଥା, ସାଧାରଣ ସମ୍ପାଦକ ତାରିଖ ଅନୱାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ବିଜ୍ଞପ୍ତିରେ ଦର୍ଶାଯାଇଛି, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।

ଏଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ମହମ୍ମଦ ମୋକିମ କହିଛନ୍ତି, ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି । କଂଗ୍ରେସ ନିଲମ୍ବିତ କରିଛି, ବହିଷ୍କାର କରିନି । ହେଲେ, ସେ ଅନ୍ୟ କୌଣସି ଦଳକୁ ଯିବେ ନାହିଁ । ତେବେ ଚିରଞ୍ଜୀବଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଆଇସିସି ଯାହା ପଦକ୍ଷେପ ନେଇଛି, ତାକୁ ଆମେ ଗ୍ରହଣ କରୁଛୁ ।

ମେ’ ୮ତାରିଖରେ ସୂଚନା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ ପ୍ରକାଶ କରିଥିଲେ । ଝାରସୁଗୁଡା ଉପନିର୍ବାଚନର ମାତ୍ର ଦିନକ ପୂର୍ବରୁ, ଦୁଇ ନେତା ଦଳର ନେତୃତ୍ୱ ନେଇ ପ୍ରଶ୍ନ ଉଠାଇବା, ଭୋଟକୁ ପ୍ରଭାବିତ କରିଥିଲା ବୋଲି ଅଭିଯୋଗ କରିଥିଲା ଝାରସୁଗୁଡା ଜିଲ୍ଲା କଂଗ୍ରେସ । ପୂର୍ବରୁ ମହମ୍ମଦ ମୋକିମ୍ ଦଳର ନିର୍ଦ୍ଦେଶକୁ ନମାନି ବିଜେପି ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ଯାହାକୁ ନେଇ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ପାର୍ଟି ହାଇକମାଣ୍ଡ ।.. ତେବେ ୨୦୨୪ ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁଇ ନେତାଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ସେମାନଙ୍କୁ ପ୍ରଭାବିତ କରିପାରେ ।