ମୋବାଇଲ ନେଇଗଲା ଜୀବନ । ଚାର୍ଜରେ ବସିଥିବା ବେଳେ କଲ ରିସିଭ୍ କରିବା ହେଲା ଛାତ୍ରଙ୍କ ପାଇଁ କାଳ

1,148

କନକ ବ୍ୟୁରୋ : ମୋବାଇଲରେ କଥା ହେବା ହେଲା କାଳ । ବିଦ୍ୟୁତ୍ ଅଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । କଲେଜ ପଢ଼ି ବଡ଼ ମଣିଷ ହେବାକୁ ସଂଘର୍ଷ କରୁଥିବା ଜଣେ ଆଦିବାସୀ ଯୁବକଙ୍କ ଜୀବନ ଚାଲିଯାଇଛି   । ମୋବାଇଲରେ କଥା ହେବା ସମୟରେ ବିଦ୍ୟୁତ୍ ଆଘାତ ଲାଗିବାରୁ ଗିରକାନପାଲୀ ଅଂଚଳର କାମା ମାଢ଼ିଙ୍କ ମୃତ୍ୟୁ ହୋଇଛି । କାମା ମାଢ଼ି କାଲିମେଳା ତାରିଣୀ ମନ୍ଦିର ସାହିରେ ଥିବା ନିଜ ନାନି ଘରେ ରହି କାଲିମେଳା କଲେଜରେ +୩ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ ।

ଗତକାଲି ରାତିରେ କାମା ମାଢ଼ି ମାଟି କାନ୍ଥରେ ଲାଗିଥିବା ଏକ ବିଦ୍ୟୁତ୍ ବୋର୍ଡ଼ରେ ମୋବାଇଲ ଚାର୍ଜ କରି ନିଜ ଭଣଜାକୁ ଖାଇବାକୁ ଦେଉଥିଲେ । ଠିକ୍ ଏତିକି ବେଳେ ଏକ କଲ ଆସିଥିଲା । କାମା କଲ ରିସିଭ କରିବା ସମୟରେ ହଠାତ୍ ମୋବାଇଲରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଫଳରେ କାମା କଥା ହେଉଥିବା ସମୟରେ ବିଦ୍ୟୁତ ଝଟକା ଖାଇ ତଳେ ପଡ଼ିଯାଇଥିଲେ  । ତଳେ ଥିବା ପାଣି ହାଣ୍ଡିରେ ପଡ଼ିଯିବାରୁ ଘର ସାରା ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଏହା ଦେଖି ପାଖରେ ଥିବା ୫ବର୍ଷର ଭଣଜା ପାଟି କରିଥିଲା ।

ଏହା ଶୁଣିପାରି ସାହି ପଡ଼ିଶା ଲୋକ କାମା ମାଢ଼ିଙ୍କୁ କାଲିମେଳା ମେଡ଼ିକାଲ ଆଣିଥିଲେ, ଡାକ୍ତରଖାନାରେ ପହଂଚିବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ମୃତ ଛାତ୍ରର ବାମ ହାତ ପାପୁଲି ପୋଡ଼ି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଛି । ଖବର ପାଇ ଆଜି କାଲିମେଳା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ବ୍ୟବଛେଦ କରାଇଛି । ଟିକେ ଅସାବଧାନତା ଯୋଗୁଁ ଜଣେ କଲେଜ ଛାତ୍ରର ଜୀବନ ଚାଲି ଯାଇଛି । ପୁଅକୁ ନେଇ ବାପା ମା’ ଦେଖିଥିବା ସ୍ୱପ୍ନ ବିଦ୍ୟୁତ୍ ଆଘାତରେ ପୋଡି ପାଉଁଶ ହୋଇଯାଇଛି ।