୮ଟି ନୂଆ ଗ୍ରୀଡ ସବସେଷ୍ଟସନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨.୨ ଲକ୍ଷ ଲୋକଙ୍କୁ ମିଳିବ ଗୁଣାତ୍ମକ ଓ ନିରନ୍ତର ବିଜୁଳି

259

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଏକ୍ସଟ୍ରା ହାଇଭୋଲଟେଜ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ । ଏହିସବୁ ଗ୍ରୀଡ ସବଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ ସରବରାହ ନେଟୱାର୍କ ରହିଛି ଏବଂ ୧୯୩ଟି ଏକ୍ସଟ୍ରା ହାଇ ଭୋଲଟେଜ ଗ୍ରୀଡ୍ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟର ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ନୀତି ଆୟୋଗର ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ଏଥିରେ ଗୁଣାତ୍ମକ ବିଦ୍ୟୁତର ଏକ ବଡ ଭୂମିକା ରହିଛି ବୋଲି ସେ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି । ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ୧୦୩.୩୭ କୋଟି ଟଙ୍କା ଏବଂ ଓପିଟିସିଏଲ ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏହାସହିତ ଓପିଜିସି ପକ୍ଷରୁ ୨ କୋଟି ଓ ଓପିଟିସିଏଲ ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିଲା ।

ଏଥିରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି ପବ୍ଲିକ୍ ସେକ୍ଟର ୟୁନିଟ୍ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଶିଳ୍ପାନୁଷ୍ଠାନ ଭାବରେ ପରିଣତ ହେବା ଖୁସିର କଥା । ଆଗାମୀ ଦିନରେ ଏହି ଦୁଇ ଅନୁଷ୍ଠାନ ଆହୁରି ସଫଳତା ହାସଲ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଏହାଦ୍ବାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ବରାନ୍ବିତ ହେବା ସହିତ ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ ସବଷ୍ଟେସନ ନିର୍ମାଣ କରାଯାଇଥିବା ବେଳେ, ଆଉ ୧୦୦ଟି ନିର୍ମାଣାଧୀନ ଅଛି ବୋଲି ସେ କହିଥିଲେ ।

ଏହି ଅବସରରେ ମେରାମୁଣ୍ଡଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଣ୍ଟାବାଡରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, କୁମାରମୁଣ୍ଡାରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବୋରିଗୁମାରେ ସାଂସଦ ରମେଶଚନ୍ଦ୍ର ମାଝୀ, ଲଖନପୁରରେ ବିଧାୟିକା ଅଳକା ମହାନ୍ତି, ବାମରାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଏବଂ ଭଟଲିରେ ବିଧାୟକ ସୁଷାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ଏହି ସବ୍‌ଷ୍ଟେସନ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର ହେବା ସହିତ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ସହଜ ହେବ ବୋଲି ସେମାନେ କହିଥିଲେ ।

ଏହି କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓପିଟିସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।