ଏୟାରଷ୍ଟ୍ରାଇକ୍ ପରେ କୁଟନୈତିକ ଚାପ ପାଇଁ ୧୨ ଦେଶ ସହ କଥା ହେଲା ଭାରତ ! ଚୀନ ବି ଛାଡିଲା ପାକିସ୍ତାନ ହାତ

2,182

କନକ ବ୍ୟୁରୋ : ପାକିସ୍ତାନ ଭିତରେ ପଶି ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର ସବୁ ବିରୋଧୀ ଦଳ, ସରକାର ଓ ସେନା ସହ ଏକଜୁଟତା ଦେଖାଇଛନ୍ତି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ହୋଇଛି । ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ସିପିଆଇ ନେତା ଡି ରାଜା, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରୀ, ନେସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା, ଟିଏମସି ସାଂସଦ ଡାରେକ ଓବ୍ରେନଙ୍କ ସହ ବହୁ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ ।

ସେନାର କାର୍ଯ୍ୟାନୁଷ୍ଠାନକୁ ସବୁ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି । ସୀମାପାର ଆତଙ୍କବାଦୀଙ୍କୁ ନେଇ ସରକାର ବିରୋଧୀଙ୍କ ସ୍ୱର ଏକ ହୋଇଥିବା ବେଳେ ପାକିସ୍ତାନକୁ ଏକ ଘରକିଆ କରିବା ଅଭିଯାନକୁ ଆହୁରି ଗତି ଦେଇଛନ୍ତି କେନ୍ଦ୍ର ସରକାର । ସର୍ବଦଳୀୟ ବୈଠକ ପରେ ସୁଷମା ସ୍ୱରାଜ ବିଭିନ୍ନ ଦେଶର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ବାଲାକୋଟରେ ଜୈଶ ଠିକଣା ଉପରେ ହମଲା କରିଥିବା ନେଇ ଆମେରିକା ବିଦେଶମନ୍ତ୍ରୀ ମାଇକ ପୋମ୍ପିୟୋଙ୍କୁ ଜଣାଇଥିଲେ ସୁଷମା । ସେହିପରି ଚୀନ, ସିଙ୍ଗାପୁର, ବାଙ୍ଗଲାଦେଶ, ଆଫଗାନିସ୍ତାନ ସମେତ ୧୨ଟି ଦେଶର ବିଦେଶ ମନ୍ତ୍ରୀଙ୍କ ସହ ସୁଷମା ସ୍ୱରାଜ ଆଲୋଚନା କରିଥିବା ସୂଚନା ମିଳିଛି ।

ଭାରତର ଏୟାରଷ୍ଟ୍ରାଇକ ଘଟଣା ପରେ ପାକିସ୍ତାନର ହାତ ଛାଡିଛି ଚୀନ୍ । ସବୁବେଳେ ପାକିସ୍ତାନ ସପକ୍ଷ ଓକିଲାତି କରି ଭାରତକୁ ବିରୋଧ କରିଆସୁଥିବା ବେଞ୍ଜିଂ ଏଥର ସ୍ୱର ବଦଳାଇଛି । ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛି । ଏୟାର ଷ୍ଟ୍ରାଇକ ସଂପର୍କରେ ଚୀନକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଜଣାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛି ଚୀନ । ଉଭୟ ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକ ଆଲୋଚନା କରି ସର୍ମ୍ପକ ମଜୁବତ କରିବାକୁ ପର୍ରାମଶ ଦେଇଛି । ଏଥିସହ ଦୁଇ ଦେଶ ସଂଜମତା ବଜାୟ ରଖନ୍ତୁ ବୋଲି କହିଛି ବେଞ୍ଜିଂ । ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧୁର ସର୍ମ୍ପକ ଜରୁରୀ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରଳାୟ ପ୍ରବକ୍ତା ଲୁ କାଙ୍ଗ ।

ସେପଟେ ବାଲାକୋଟ ଓ ପିଓକେରେ ଇଣ୍ଡିଆ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ମଧ୍ୟରେ ଉତେଜନା ବଢିଛି । ଏହି ଘଟଣା ଉପରେ ପୁରା ନଜର ରଖିଥିବା କହିଛି, ୟୁରୋପୀୟ ସଂଘ । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଚରମ ସୀମାରେ ଥିବାରୁ ସଂଜମତା ଅବଲମ୍ବନ କରିବାକୁ ୟୁରୋପ ୟୁନିଅନ ପରାମର୍ଶ ଦେଇଛି । ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ବିଶ୍ୱ ଶାନ୍ତିକୁ ସମ୍ମାନ ଦେଇ କାମ କରିବା ଉଚିତ ବୋଲି ୟୁରୋପୀୟ ସଂଘ ମତ ରଖିଛି ।