ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଇସ୍ତାହାରକୁ ପୂରଣ କଲାଭଳି ଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ।

471

କନକ ବ୍ୟୁରୋ: ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏଥିସହ ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସରକାରରେ ଚାଷୀଙ୍କୁ ଅଧିକ ଫୋକସ କରାଯାଇଛି । ତେଣୁ ଚାଷ ଜମିକୁ ପାଣି ଯୋଗାଇ ଦେବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଲୋକେ କିଭଳି ଭାବେ ବିଭିନ୍ନ ଯୋଜନାରୁ ଉପକୃତ ହେବେ ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ନିର୍ବାଚନ ସମୟରେ ସରକାରୀ ଦଳ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରକୁ କିଭଳି ଭାବେ ପୂରଣ କରାଯିବ ତାକୁ ଅନୁଧ୍ୟାନ କରି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ପୂର୍ବ ସରକାର କାମଚଳା ବଜେଟ୍ ଆଣିଥିଲେ । ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସ ପାଇଁ କାମଚଳା ବଜେଟ୍ ଆସିଥିଲା । ଏଥର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥ ବିଭାଗ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ବଜେଟ୍ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।