ନିର୍ମଳାଙ୍କ ‘ନାସା’ ପୋଷ୍ଟକୁ ନେଇ ଚିଦାମ୍ବରମଙ୍କ କଟାକ୍ଷ । ଅର୍ଥମନ୍ତ୍ରୀଙ୍କୁ କହିଲେ ଅର୍ଥନୈତିକ ଜ୍ୟୋତିଷ ମୁଖ୍ୟ

157

କନକ ବ୍ୟୁରୋ : ଦେଶର ଅର୍ଥନୀତିକୁ ନେଇ ପଛରେ ପଡିଯାଉଥିବା ବିଜେପି ସରକାରକୁ ପୁଣି ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ପି ଚିଦାମ୍ବରମ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନାସାର ଏକ ପୋଷ୍ଟକୁ ତାଙ୍କ ଟୁଇଟ ଆକାଉଣ୍ଟରେ ସେୟାର କରିବା ପରେ ତାଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ଦୁଇଟି ଟୁଇଟ କରି ଏହି କଂଗ୍ରେସ ନେତା କହିଛନ୍ତି, ଯେଉଁଦିନ ଦେଶର ମୁଦ୍ରାସ୍ଫୀତି ୭ ପଏଣ୍ଟରୁ ଅଧିକ ଏବଂ ବେରୋଜଗାରୀ ୮ ପ୍ରତିଶତ ଛୁଉଁଛି ସେହିଦିନ ଅର୍ଥମନ୍ତ୍ରୀ ବୃହସ୍ପତି, ଶୁକ୍ର ଏବଂ ପ୍ଲୋଟ ଗ୍ରହର ଫଟୋ ଛାଡୁଛନ୍ତି, କିନ୍ତୁ ଆମେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ସେ କହିଛନ୍ତି । ଏଥିସହ ନିର୍ମଳା ସୀତାରମଣଙ୍କୁ ନୂଆ ଅର୍ଥନୈତିକ ଜ୍ୟୋତିଷ ମୁଖ୍ୟ ଭାବେ ନିଯୁକ୍ତ କରିବା ଦରକାର ବୋଲି କହିଛନ୍ତି ପି ଚିଦାମ୍ବରମ ।

ଦେଶର ଅର୍ଥନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା ଟାର୍ଗେଟ କରୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଖୋଦ ବିଜେପି ସାଂସଦ । ବଜେପିରେ ଥାଇ ବି ଭିନ୍ନ ମତ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ସାଂସଦ ସୁବ୍ୟମଣ୍ୟନମ ସ୍ୱାମୀ ଦେଶର ଅର୍ଥନୀତିକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସ୍ୱାମୀ ଏକ ଟୁଇଟ କରି କହିଛନ୍ତି, ଭାରତ ୧୯୩ ଦେଶ ମଧ୍ୟରୁ ଏବେ ୧୬୪ ତମ ବିକାଶଶୀଳ ଦେଶ ଭାବେ ଗଣାହେଉଛି । ୨୦୧୧ରେ ଭାରତ ବିଶ୍ୱର ତୃତୀୟ ବଡ ଅର୍ଥନୀତି ଥିବା ବେଳେ ୨୦୨୧ରେ ୧୬୪ ନମ୍ବରରେ ପହଂଚିଯାଇଛି ବୋଲି ସେ କହିଛନ୍ତି ।

ଅମିତ ମାଲଭ୍ୟ କହିଛନ୍ତି ୟୁପିଏ ସରକାରଙ୍କ ସମୟରେ ୨୦୦୯ରୁ ୨୦୧୩ ମଧ୍ୟରେ ମୁଦ୍ରାସ୍ଫୀତି ଦୁଇ ଅଙ୍କ ଉପରେ ଅବା ଦୁଇ ଅଙ୍କ ପାଖାପାଖି ରହୁଥିଲା । ତାହା ପୁଣି କିଛି ମାସ ପାଇଁ ନୁହେଁ ବଂର ବର୍ଷ ଶେଷ ପର୍ଯ୍ୟନ୍ତ ରହୁଥିଲା । କରୋନା ମହାମାରୀ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଏବେ ଦେଶର ମୁଦ୍ରାସ୍ଫୀତି ବଢିଛି । ହେଲେ ତାହା ୟୁପିଏ ସରକାର ସମୟ ଠାରୁ କମ ବୋଲି କହିଛନ୍ତି ଏହି ବିଜେପି ନେତା ।