CSKର ଦମଦାର ବ୍ୟାଟିଂ ଲାଇନ୍ ଓ ବୋଲିଂ ଆଗରେ ଧରାଶାୟୀ ଗୁଜରାଟ ଟାଇଟନ୍ସ । ୬୩ ରନରେ ଚେନ୍ନାଇ ବିଜୟୀ ।

116

କନକ ବ୍ୟୁରୋ: ଆଇପିଏଲ ୨୦୨୪ ସଂସ୍କରଣର ସପ୍ତମ ମ୍ୟାଚରେ ଗୁଜରାଟ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ସହଜ ବିଜୟ । ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଅତିଥି ଟିମ୍ ଗୁଜରାଟ ଟାଇଟନ୍ସକୁ ୬୩ ରନରେ ପରାସ୍ତ କରିଛି ସିଏସକେ ।

୨୦୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଗୁଜରାଟ ୮ ୱିକେଟ ହରାଇ ୧୪୩ ରନରେ ଅଟକିଛି । ଲଗାତାର ଦ୍ୱିତୀୟ ବିଜୟ ପରେ ୪ ପଏଂଟ ସହ ଟେବୁଲରେ ଶୀର୍ଷକୁ ଉଠିଛି ଚେନ୍ନାଇ । ମଙ୍ଗଳବାର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଗୁଜରାଟ । ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଏକୱାଡ ଓ ରାଚୀନ ରବୀନ୍ଦ୍ର ପାଳି ଆରମ୍ଭ କରିଥଲେ । ଉଭୟ ରୁତରାଜ ଓ ରାଚୀନ ପ୍ରଥମ ୱିକେଟ ପାଇଁ ୬୨ରନର ଭାଗୀଦାରୀ କରିଥିଲେ । ରାଚୀନ କ୍ରିଜ୍ ଛାଡିବା ପୂର୍ବରୁ ୩୦ଟି ବଲରେ ୬ଟି ଚୌକା ଏବଂ ୩ଟି ଛକା ସହ ୪୬ ରନ୍ ସଂଗ୍ରହ କରିଥିଲେ । ରୁତରାଜ ଗାଏକୱାଡ ମଧ୍ୟ ୩୬ ବଲରେ ୫ଚୌକା ଏବଂ ଗୋଟିଏ ଚୌକା ସହ ୪୬ ରନ ସଂଗ୍ରହ କରିଥିଲେ । ପରେ କ୍ରିଜକୁ ଆସି ଗୁଜରାଟ ବୋଲରଙ୍କ ଧୁଲାଇ କରିବା ସହ ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ ଶିଭମ୍ ଦୁବେ ।

୨୩ ବଲରେ ୫ଟି ଛକା ୨ଟି ଚୌକା ବଳରେ ୫୧ ରନ୍ ହାସଲ କରିଥିଲେ ଶିଭମ୍ । ଗୁଜରାଟର ସାଇ ସୁଦର୍ଶନ ସର୍ବାଧିକ ୩୭ ରନ୍ ସଂଗ୍ରହ କରିଥିବା ବେଳେ ରିଦ୍ଧିମାନ ଶାହା, ଡେଭିଡ୍ ମିଲର ୨୧ରନ ଏବଂ ବିଜୟ ଶଙ୍କର ୧୨ରନର ପାଳି ଖେଳିଥିଲେ । ଚେନ୍ନାଇ ପକ୍ଷରୁ ଦୀପକ ଚହର, ମୁସ୍ତାଫିଜୁର ରେହମାନ, ତୁଷାର ଦେଶପାଣ୍ଡେଙ୍କୁ ୨ଟି ଲେଖାଁଏ ଏବଂ ଡ୍ୟାରେଲ ମିଚେଲ ଏବଂ ମିତିଶା ପଥିରଣାଙ୍କୁ ୧ଟି ଲେଖାଏଁ ୱିକେଟ ମିଳିଥିଲା ।