କେମିତି ହେବ ତୃତୀୟ ଲହରର ମୁକାବିଲା ? ରାଜ୍ୟଗୁଡିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । 

157

କନକ ବ୍ୟୁରୋ : ରାଜ୍ୟ ଓ ଦେଶର କରୋନା ମିଟର ଉପରମୁହାଁ ରହିଛି । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି ସଂକ୍ରମଣ । ରାଜ୍ୟରେ ଆଜି ୫ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷକରି ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁରରେ ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ସୁନ୍ଦରଗଡ ଓ ସମ୍ବଲପୁରରେ ସଂକ୍ରମଣ ହାର ୨୦ ପ୍ରତିଶତରୁ ଅଧିକ ହୋଇଛି । ଖୋର୍ଦ୍ଧା ଓ ଝାରସୁଗୁଡାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଯାହାକି ଚିନ୍ତାର ବିଷୟ ହୋଇଛି । ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ମଧ୍ୟ ସଂକ୍ରମଣ ଉପରମୁହାଁ ରହିଛି ।

କେମିତି ହେବ ତୃତୀୟ ଲହରର ମୁକାବିଲା ? ରାଜ୍ୟଗୁଡିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ହସ୍ପିଟାଲ୍ ବେଡ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ । ଦେଶର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ କିପରି ଏହାର ମୁକାବିଲା ହେବ, ଏ ନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ବେଡ୍ ସଂଖ୍ୟା ବୃଦ୍ଧି, ମେଡିକାଲ ଛାତ୍ର ଓ ଅବସରପ୍ରାପ୍ତ ଡାକ୍ତରଙ୍କୁ ଚିକିତ୍ସା ସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି ରାଜେଶ ଭୂଷଣ । କେନ୍ଦ୍ର ସରକାର କହିଛନ୍ତି,

*ଦ୍ୱିତୀୟ ଲହରରେ ୨୦-୨୩ ପ୍ରତିଶତ ରୋଗୀ ଡାକ୍ତରଖାନା ଆସୁଥିଲେ

*ଏବେ ୫-୧୦ ପ୍ରତିଶତ ରୋଗୀ ହସ୍ପିଟାଲ୍ ଆସୁଛନ୍ତି 

*ସଂକ୍ରମଣ ବଢୁଥିବାରୁ ହସ୍ପିଟାଲକୁ ଅଧିକ ରୋଗୀ ଆସିବା ସମ୍ଭାବନା ରହିଛି

*କେତେ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହୁଛନ୍ତି, କେତେ ହସ୍ପିଟାଲ୍ ଆସୁଛନ୍ତି, ଅକ୍ସିଜେନ୍ ଯୁକ୍ତ ବେଡ୍, ଆଇସିୟୁ ବେଡ୍, ଭେଂଟିଲେଟର ଆବଶ୍ୟକ ନେଇ ନଜର ରଖାଯାଉ

*ଆବଶ୍ୟକତା ଅନୁଯାୟୀ ସାଧାରଣ ବେଡକୁ ଅକ୍ସିଜେନ୍ ଯୁକ୍ତ ବେଡକୁ ଅପଗ୍ରେଡ କରାଯାଉ

*ଟେଲି-ଚିକିତ୍ସା ସେବାରେ ନିୟୋଜିତ ହୋଇପାରିବେ ଅବସରପ୍ରାପ୍ତ ଡାକ୍ତର ଓ ମେଡିକାଲ୍ ଛାତ୍ର

*ଜୁନିୟର ଡାକ୍ତର, ଶେଷ ବର୍ଷର ମେଡିକାଲ୍ ଓ ନର୍ସିଂ ଛାତ୍ରଙ୍କୁ ସେବାରେ ନିୟୋଜିତ କରାଯାଉ

ସେପଟେ ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୮୨୯ ଆକ୍ରାନ୍ତ । ଜାନୁଆରୀ ଶେଷ ଆଡକୁ ଶୀର୍ଷ ଛୁଇଁପାରେ ସଂକ୍ରମଣ ! ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଖୋର୍ଦ୍ଧା ଓ ସୁନ୍ଦରଗଡ଼ ରେଡ୍ ଜୋନରେ ଥିବା ବେଳେ ସମ୍ବଲପୁର ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛନ୍ତି । ନଜର ପକାନ୍ତୁ ଓଡ଼ିଶାର କରୋନା ମିଟର ଉପରେ । ପ୍ରତିଦିନ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର ମଧ୍ୟ ବଢ଼ୁଛି । ଗତ ଦୁଇ ଦିନ ହେଲା ୬ ପ୍ରତିଶତ ଉପରେ ରହୁଛି ସଂକ୍ରମଣ ହାର । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଯଦି ଦିଲ୍ଲୀ ଓ ମହାରାଷ୍ଟ୍ରରେ ଜାନୁଆରୀ ମଧ୍ୟ ଭାଗରେ ସଂକ୍ରମଣ ଶୀର୍ଷ ଛୁଇଁବ, ତେବେ ଜାନୁଆରୀ ଶେଷ ଆଡକୁ ଓଡ଼ିଶାରେ ପିକ୍ ଆସିପାରେ । ଏପଟେ ରାଜ୍ୟରେ ଆଉ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ।

ଓଡ଼ିଶାର କରୋନା ମିଟର 

ତାରିଖ                    ସଂକ୍ରମଣ             ପରୀକ୍ଷା                   ସଂକ୍ରମଣ ହାର

ଜାନୁଆରୀ ୧୦         ୪୮୨୯            ୭୪,୩୦୪                   ୬.୫୦%

ଜାନୁଆରୀ ୯            ୪୭୧୪            ୭୦,୨୦୦                   ୬.୭୧%

ଜାନୁଆରୀ ୮            ୩୬୭୯            ୭୧,୪୩୨                   ୫.୧୫%

ଜାନୁଆରୀ ୭            ୨୭୦୩            ୬୮,୯୭୦                   ୩.୯୧%

ଜାନୁଆରୀ ୬            ୧୮୯୭            ୭୨,୩୭୦                   ୨.୬୨%

ସେପଟେ ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୭୯ ହଜାର ୭୨୩ ନୂୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୧୨.୫ ପ୍ରତିଶତ ବଢିଛି ସଂକ୍ରମଣ । ୭ ଲକ୍ଷ ଟପିଛି ସକ୍ରିୟ ମାମଲା ।