ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ: କରୋନା କଟକଣା ଭିତରେ ହୋଇପାରେ ନିର୍ବାଚନ

142

କନକ ବ୍ୟୁରୋ: ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । କାଲି ୧୧ଟା ୩୦ରେ ଘୋଷଣା କରିପାରନ୍ତି ରାଜ୍ୟ ନର୍ବାଚନ କମିଶନ । ଏନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ । ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ ।

କରୋନା ପାଇଁ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ଯେଉଁ ଚର୍ଚ୍ଚା ଲାଗିଥିଲା, ତାକୁ ନେଇ ସବୁଜ ସଙ୍କେତ ମିଳିପାରେ । ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ତାରିଖ ଘୋଷଣା ସହ କିଛି ବଡ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ତେବେ ନିର୍ବାଚନ ପାଇଁ କେନ୍ଦ୍ର ମଡେଲ ଆପଣେଇ ପାରେ ଓଡିଶା । କରୋନା କଟକଣା ସହ ନିର୍ବାଚନ କରିବାକୁ ଗୁରୁତ୍ୱ ଦିଆଯାଇପାରେ । ସେହିପରି ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ ସଂଖ୍ୟା ମଧ୍ୟ ବଢାଯାଇପାରେ । ଏହାସହ ଭୋଟିଂ ପର୍ଯ୍ୟାୟକୁ ମଧ୍ୟ ବୃଦ୍ଧା କରାଯାଇପାରେ ।
ସେପଟେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଫିସରମାନଙ୍କ ଟିକାକରଣ ଓ ସେମାନେ କିପରି ସଂକ୍ରମଣରୁ ଦୂରେଇ ରହିବେ ସେଥପ୍ରତି ଅଧିକ ଧ୍ୟାନ ଦିଆଯାଇପାରେ । ଏହାସହ ରାଲି, ଶୋଭାଯାତ୍ରା, ସଭାସମିତି ଉପରେ ମଧ୍ୟ କଟକଣା ଲଗାଯାଇପାରେ । ବୁଥ ଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ମଧ୍ୟ ବାଧ୍ୟତାମୂଳକ ରହିପାରେ । ତେବେ କରୋନା ମହାମାରୀ ବେଳେ ପଞ୍ଚାୟତ ନିର୍ବାଚନ ନିହାତି ଭାବେ ପୋଲିସ ଓ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଚ ହେବ ।
ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯାଇଛି। ବୈଠକରେ ବିରୋଧୀ ମାନେ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କରିଥିବାବେଳେ ବିଜେଡି ନିର୍ବାଚନ ସପକ୍ଷରେ ମତ ରଖିଛି । କୋଭିଡ୍ ପାଇଁ ନିର୍ବାଚନକୁ ତିନି ମାସ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଛି କଂଗ୍ରେସ । ଏହାସହ ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ୍ ଭାବେ ଦିଆଯାଇନଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛି କଂଗ୍ରେସ । ସେହିପରି ଓବିସିଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ବିଜେପି ଦାବି କରିଛି । ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେପି ।