ଭଦ୍ରକ ସ୍ୱୟଂଶାସିତ କଲେଜରେ ନାମଲେଖାରେ ସାଂଘାତିକ ଜାଲିଆତି ଅଭିଯୋଗ । ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲେ ଛାତ୍ର କଂଗ୍ରେସ ଓ ଏବିଭିପି ।

93

କନକ ବ୍ୟୁରୋ : ଭଦ୍ରକ କଲେଜରେ ନାମଲେଖାରେ ସାଂଘାତିକ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପଦାକୁ ଆସିବା ପରେ ଏହି ପ୍ରସଙ୍ଗରେ ତେଜିଛି ରାଜନୀତି । ଭଦ୍ରକ କଲେଜରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କିଛି ଛାତ୍ର ନାମ ଲେଖାଇଥିବା ଜଣାପଡିବା ପରେ ଭଦ୍ରକରୁ ଭୁବନେଶ୍ୱର, ପ୍ରତିବାଦ କରିଛନ୍ତି ଛାତ୍ର ସଂଗଠନ । ବିଶେଷ କରି ଶାସକ ଦଳର ଜଣେ ଯୁବ ନେତାଙ୍କ ନାଁ ଏହି ଜାଲିଆତିରେ ସାମ୍ନାକୁ ଆସିବା ପରେ ବିରୋଧୀ ଦଳର ଛାତ୍ର ସଂଗଠନମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଯେଉଁମାନେ ଏହି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଆରଟିଆଇରେ ମିଳିଥିବା ତଥ୍ୟରୁ ଜଣାପଡିଛି କିଛି ଛାତ୍ର ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ସଂରକ୍ଷିତ ସିଟରେ ନାମଲେଖାଇଛନ୍ତି । କିନ୍ତୁ ଯେଉଁମାନେ ଭଲ ନମ୍ବର ରଖିଥିଲେ ସେମାନେ ନାମଲେଖାଇବାରୁ ବଞ୍ଚିତ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି, ଯେଉଁ ଭିନ୍ନକ୍ଷମ ସାର୍ଟିଫିକେଟ ଦିଆଯାଇଛି ସେସବୁ ନକଲି ସାର୍ଟିଫିକେଟ । ନାମ ଲେଖାଇଥିବା ଛାତ୍ରମାନେ କହିଛନ୍ତି ବିଜେଡିର ଯୁବ ନେତା ରାକେଶ ପଣ୍ଡା ଓ ତାଙ୍କ ସହଯୋଗୀ ଟଙ୍କା ନେଇ ଏଭଳି ଜାଲ ସାର୍ଟିଫିକେଟ ଦେବା ସହ ନାମଲେଖାଇବାରେ ସହଯୋଗ କରିଥିଲେ ।

ଅନ୍ୟପଟେ ନାମ ଲେଖାଇଥିବା ପିଲାମାନେ ଏବେ କଣ କରିବେ ଚିନ୍ତାରେ ପଡିଛନ୍ତି । କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାକେଶ ପଣ୍ଡା । କହିଛନ୍ତି ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ । ଶିକ୍ଷାନୁଷ୍ଠାନରେ ନାମଲେଖାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ସାମ ସିଲେକ୍ସନ ବ୍ୟବସ୍ଥା କରିଛନ୍ତି । ହେଲେ ଯଦି ଏଥିରେ ଏଭଳି ଜାଲିଆତି ହୋଇଥାଏ ତାହେଲେ ସାଂଘାତିକ ।