ନିକି ଯାଦବ ହତ୍ୟା ମାମଲା : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍; ହତ୍ୟାର କିଛି ଘଣ୍ଟା ପୂର୍ବରୁ ଘରକୁ ଫେରିଥିଲେ ନିକି

126

କନକ ବ୍ୟୁରୋ : ନିକି ଯାଦବ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ହତ୍ୟାର କିଛି ଘଣ୍ଟା ପୂର୍ବରୁ ନିକି ଘରକୁ ଫେରିଥିଲେ । ଗୋଟିଏ କଥା ଅତି ବିସ୍ମୟକର ଏବଂ ତାହା ହେଉଛି ପ୍ରେମ, ହତ୍ୟା ଏବଂ ବିବାହ ସବୁ ଗୋଟିଏ ଦିନରେ ହୋଇଛି । ଅଭିଯୁକ୍ତ ସାହିଲ ନିକ୍କି ଯାଦବଙ୍କୁ ଯେଉଁ ଦିନ ହତ୍ୟା କରିଛି ସେହି ସମାନ ଦିନ ସେ ଅନ୍ୟ ଜଣଙ୍କୁ ବିବାହ କରିଛି ।

ନିକି ଏବଂ ସାହିଲ ପରସ୍ପରକୁ ୨୦୧୮ରୁ ଜାଣିଥିଲେ। ସେମାନେ ଲିଭ୍‌ ଇନ୍‌ ସଂପର୍କରେ ରହୁଥିଲେ । କିନ୍ତୁ ଡିସେମ୍ବର ୨୦୨୨ରେ ସାହିଲଙ୍କ ବିବାହ ଅନ୍ୟ ଜଣେ ମହିଳାଙ୍କ ସହ ଠିକ୍‌ ହୋଇଥିଲା । ନିକି ଏହି ବିବାହ ଭାଙ୍ଗିବାପାଇଁ ସାହିଲଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ସାହିଲ ବାରମ୍ବାର ନିକିଙ୍କୁ ମିଛ କହି ଆସିଥିଲା । ଫେବ୍ରୁଆରି ୯ରେ ସାହିଲର ନିର୍ବନ୍ଧ ସରିଥିଲା । ଏହାପରେ ସାହିଲ ଦିଲ୍ଲୀ ପହଞ୍ଚି ନିକିଙ୍କୁ ତା’ର ବିବାହ ଖବର ମିଛ ବୋଲି କହିଥିଲା । ସାହିଲ ଏହାପରେ ନିକିଙ୍କୁ ହିମାଚଳପ୍ରଦେଶ କିମ୍ବା ଅନ୍ୟ କୌଣସି ସ୍ଥାନକୁ ବୁଲି ଯିବାପାଇଁ କହିଥିଲା । ଫେବ୍ରୁଆରି ୯-୧୦ ରାତିରେ ସେମାନଙ୍କ ମଧ୍ୟରେ ବଚସା ‌ହୋଇଥିଲା । ଏହାପରେ ସାହିଲ ଫୋନ୍‌ ଡାଟା କେବୁଲ୍‌ରେ ନିକିଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ।

ନିକିଙ୍କୁ ହତ୍ୟା କରିବାପରେ ସେ ତା’ ଢାବାର ଫ୍ରିଜ୍‌ରେ ନିକିଙ୍କ ମର ଶରୀରକୁ ରଖିଦେଇ ସନ୍ଧ୍ୟାରେ ବିବାହ ପାଇଁ ଚାଲି ଯାଇଥିଲା । ତେବେ ନିକିଙ୍କ ବାପା ସୁନିଲ ଯାଦବ ଝିଅକୁ ଫୋନ୍‌ କରିଥିଲେ ବି ଝିଅର ଫୋନ୍‌ ଲାଗିନଥିଲା । ନିକିଙ୍କ ବାପା ସାହିଲ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସାହିଲ କହିଥିଲା ନିକି ଛୁଟି କଟାଇବାପାଇଁ ଡେରାଡୁନ ଏବଂ ମସୋରି ଯାଇଛନ୍ତି । କିନ୍ତୁ ପରେ ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରି ପର୍ଦ୍ଦାଫାସ କରିଛି । ହତ୍ୟାର ମାତ୍ର କିଛି ଘଣ୍ଟା ପୂର୍ବରୁ ନିକି ତାଙ୍କ ଘରେ ଥିବାର ସିସିଟିଭି ଫୁଟେଜ ଦେଖିବାକୁ ମିଳିଛି ।