ମଣିପୁର ଲଜ୍ଜାର ତଦନ୍ତ କରିବ ସିବିଆଇ : କେନ୍ଦ୍ର ଗୃହମନ୍ତ୍ରଳାୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା

461

କନକ ବ୍ୟୁରୋ : ମଣିପୁର ଲଜ୍ଜାର ତଦନ୍ତ କରିବ ସିବିଆଇ । ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ସହ ଅସଦାଚରଣ କରାଯିବା ଘଟଣାରେ ଉଭୟ ମଣିପୁର ଓ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଛନ୍ତି । ଏହାରି ଭିତରେ ଗୃହ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମେ ୪ ତାରିଖରେ ଘଟିଥିବା ଘଟଣାର ଭିଡିଓ ଜୁଲାଇ ୧୯ରେ ଭାଇରାଲ୍ ହୋଇଥିଲା । ଯେଉଁ ମୋବାଇଲ୍ ଫୋନରେ ଏହି ଲଜ୍ଜାଜନକ ଘଟଣାର ସୁଟିଂ କରାଯାଇଥିଲା ତାହାକୁ ଜବତ କରାଯାଇଛି ।

ଗତ ତିନିମାସ ଧରି ହିଂସା ଘଟିଚାଲିଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁର ବାହାରେ ଏହି ମାମଲାର ବିଚାର କରିବା ଲାଗି ସରକାର ଚାହୁଁଛନ୍ତି । ସମ୍ଭବତଃ ପଡ଼ୋଶୀ ରାଜ୍ୟ ଆସାମରେ ଏହି ଘଟଣାର ବିଚାର କରାଯିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯିବ ବୋଲି ଜଣାପଡ଼ିଛି । ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିବାବେଳେ ବିରୋଧୀ ଇ-ଣ୍ଡି-ଆ ମେଣ୍ଟ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ।