ଜମୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର: ଖଡଗେଙ୍କୁ ସମର୍ଥନ କରି ତିନି କଂଗ୍ରେସ ନେତା ମୁଖପାତ୍ର ପଦରୁ ଦେଲେ ଇସ୍ତଫା

258

କନକ ବ୍ୟୁରୋ: ବ୍ରିଟେନରେ କଞ୍ଜର୍ଭେଟିଭ ପାର୍ଟିର ସଭାପତି ନିର୍ବାଚନ ପାଇଁ କିଛି ଏହିଭଳି ଟିଭି ଡିବେଟର ଆୟୋଜନ କରାଯାଏ । ପ୍ରତିଯୋଗିତା କରୁଥିବା ପ୍ରାର୍ଥୀମାନେ ବିତର୍କରେ ସେମାନେ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ, ଦେଶର ନେତୃତ୍ୱ ନେବାପାଇଁ ସେମାନେ କିଭଳି ସମର୍ଥ । ବିଭିନ୍ନ ପ୍ରସଙ୍ଗରେ ନିଜର ମତାମତ ରଖିବା ସହ, ସମସ୍ୟାର ସମାଧାନ ଦିଗରେ ସେମାନେ କ’ଣ ପଦକ୍ଷେପ ନେବେ ସେନେଇ ନିଜର ଦୃଷ୍ଟିଭଙ୍ଗୀକୁ ଦେଶବାସୀଙ୍କ ଆଗରେ ରଖିଥାନ୍ତି ।

ଠିକ ଏହିଭଳି ଢଙ୍ଗରେ ବିତର୍କ ପାଇଁ ଆହ୍ୱାନ କରିଛନ୍ତି ଶଶୀ ଥରୁର । କଂଗ୍ରେସ ସଭାପତି ନିର୍ବାଚନରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶୀ ଥରରୁ ମୁହାଁମୁହିଁ ହେଉଥିବାବେଳେ ନିର୍ବାଚନକୁ ଅଧିକ ପାରଦର୍ଶୀ କରିବା ପାଇଁ ଥରରୁ ଖୋଲା ବିତର୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।

ଏପଟେ କର୍ଣ୍ଣାଟକର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତେବେ କାହାରିକୁ ବିରୋଧ କରିବା ପାଇଁ ନୁହେଁ, ବରଂ ଦଳକୁ ସୁଦୃଢ କରିବା ପାଇଁ ପ୍ରାର୍ଥୀ ହୋଇଥିବା କହିଛନ୍ତି ଖଡଗେ । ତାଙ୍କ ସପକ୍ଷରେ ପ୍ରଚାର ପାଇଁ ଦଳର ୩ ଜଣ ମୁଖପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଗାନ୍ଧୀ ପରିବାରର ତାଙ୍କ ପ୍ରତି ସମର୍ଥନ ଥିବା ନେଇ ହେଉଥିବା ଚର୍ଚ୍ଚା ଅମୂଳକ ।

କଂଗ୍ରେସର ଦୁଇ ତୁଙ୍ଗ ନେତାଙ୍କ ଭିତରେ କୌଣସି ଆଦର୍ଶଗତ ବିଭେଦ ନାହିଁ । ତେଣୁ ଏହି ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ଧିରେଧିରେ ରୋଚକ ହେଉଛି । ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶଶୀ ଥରୁର ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଥିବା କହିଛନ୍ତି । ହେଲେ ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ସମ୍ଭାବନା ଅଧିକ ଥିବା କୁହାଯାଉଛି । ଖଡଗେ ବିଜୟ ହାସଲ କଲେ ଦୀର୍ଘ ୫ ଦଶନ୍ଧି ପରେ ଦ୍ୱିତୀୟ ଦଳିତ ନେତାଭାବେ କଂଗ୍ରେସ ସଭାପତି ଆସନରେ ବସିବେ । ୫୦ ବର୍ଷ ତଳେ ବାବୁ ଜଗଜୀବନ ରାମ କଂଗ୍ରେସର ଦଳିତ ସଭାପତି ହୋଇଥିଲେ ।