ଏମବିଏ ଡିଗ୍ରୀଧାରୀ ମହିଳାଙ୍କର ନିଆରା ବିଜନେସ ଷ୍ଟାଇଲ । ରୁଟି ତିଆରି କଲେ, ଆତ୍ମନିର୍ଭରଶୀଳ ହେଲେ, ସଭିଙ୍କ ପାଇଁ ସାଜିଲେ ଉଦାହରଣ ।

171

କନକ ବ୍ୟୁରୋ: ଏମବିଏ ଡିଗ୍ରୀଧାରୀ ମହିଳାଙ୍କର ନିଆରା ବିଜନେସ ଷ୍ଟାଇଲ । ନିଜେ ଟଙ୍କା ରୋଜଗାର କରିବା ସହ ଲକଡାଉନରେ ଗୃହିଣୀଙ୍କୁ ଦେଲେ ନିଆରା ପରିଚୟ । ରୁଟି ତିଆରି କଲେ , ଆତ୍ମନିର୍ଭରଶୀଳ ହେଲେ , ସଭିଙ୍କ ପାଇଁ ସାଜିଲେ ଉଦାହରଣ । ଏବେ ସଭିଙ୍କ ପ୍ରଥମ ପସନ୍ଦ ପାଲଟିଛି ମା ହାତ ରୁଟି ।

ଲକଡାଉନ ଶିଖାଇଦେଇଛି ବଂଚିବାର ନୂଆ ଶୈଳୀ । ଘରେ ହାତ ବାନ୍ଧି ନବସି ରୋଜଗାର କରିବାର ବାର୍ତା ଦେଉଛି ମା କିଚେନ । ଦିନ ଥିଲା ଏହି ଘରେ ଚାଲୁଥିଲା କୋଚିଂ । କିନ୍ତୁ ଏବେ କୋଚିଂ ସେଂଟର ପାଲଟିଛି ରୁଟିି ସେଂଟର । ଏମବିଏ ଡିଗ୍ରୀଧାରୀ ମହିଳା ଭାରତୀ ବେହେରା ଓ ଲିତାଞ୍ଜଳୀ ବେହେରାଙ୍କର ନିଆରା ବିଜନେସ ଷ୍ଟାଇଲ ଦେଉଛି ଆତ୍ମନିର୍ଭରଶୀଳର ବାର୍ତ୍ତା । ଲକଡାଉନରେ ରୋଜଗାରର ବାଟ ବନ୍ଦ ହୋଇଯିବାରୁ ରୁଟି କିଚେନର ନୂଆ ବିଜନେସ ଆରମ୍ଭ କଲେ ଏହି ଦୁଇ ମହିଳା । ଏବେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ଗୂହିଣୀଙ୍କୁ ବି ଦେଇଛନ୍ତି ବଂଚିବାର ରାହା ।

ସହରର ବିଭିନ୍ନ ହୋଟେଲରେ ପହଂଚୁଛି ମା କିଚେନର ମା ହାତ ରୁଟି । ଏଥିପାଇଁ ଦିନ ୨ଟାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି । ଘରର ସମସ୍ତ କାମ ସାରି ମା କିଚେନରେ ପହଂଚିଯାନ୍ତି ମହିଳା । ଆଉ ଆରମ୍ଭ ହୋଇଯାଏ ରୁଟି ପ୍ରସ୍ତୁତି । ପୂର୍ବରୁ ଏହି ସମୟରେ ଘରର ଚାରି କାନ୍ଥ ଭିତରେ ବିତୁଥିଲା ସମୟ । କିନ୍ତୁ ଏବେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଯାଏ ମା କିଚେନରେ ବିତାଉଛନ୍ତି ସମୟ । ଏବେ ରୁଟି ପିଛା ୨ ଟଙ୍କାରୁ ଅଢେଇ ଟଙ୍କା ବିକ୍ରି କରୁଛନ୍ତି । ଡିମାଂଡ ଅନୁୟାୟୀ ପ୍ରସ୍ତୁତ କରୁଛନ୍ତି ରୁଟି ।

ଏବେ ସହରର ବିଭିନ୍ନ ହୋଟେଲ ସହ ଯୋଗାଯୋଗ କରି ରୁଟି ପଠାଉଛନ୍ତି । ଆଗକୁ ଏହି ବ୍ୟବସାୟ ଅନଲାଇନରେ କରିବାକୁ ଯୋଜନା କରିଛନ୍ତି ।