ବର୍ଷାର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ କାଳ । ଏ ବର୍ଷ ଧୋକା ଦେଲା ମୌସୁମୀ, ଟାଇଁଟାଇଁ ଖରା ଚାଷୀଙ୍କୁ କଲାଣି ହତାସ । ଝାରସୁଗୁଡା ଓ ଗଞ୍ଜାମରୁ ଆସିଲା ଚାଷୀ ଦୁର୍ଦ୍ଦଶାର ବିକଳ ଚିତ୍ର ।

154

କନକ ବ୍ୟୁରୋ: ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ରେକର୍ଡକୁ ଦେଖିଲେ ଲାଗୁଛି ଝାରସୁଗୁଡାରେ ଗଜା ମରୁଡି ହେବ କି? ଚଳିତବର୍ଷ ଜୁଲାଇ ମାସରେ ୨୨୭.୬୦ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ଏହା ସ୍ୱାଭାବିକ ଠାରୁ ୧୫୮.୨ ମିଲିମିଟର କମ୍ । ସେହିଭଳି ଅଗଷ୍ଟ ପହିଲାରୁ ୯ ତାରିଖ ସୁଦ୍ଧା ମାତ୍ର ୨.୬୦ ମିଲିମିଟର ବର୍ଷା ହୋଇଛି, ଗତବର୍ଷ ଏହି ସମୟରେ ୧୩୮.୬ ମିଲିମିଟର ବର୍ଷା ହୋଇଥିଲା ଅର୍ଥାତ ଗତବର୍ଷ ତୁଳନାରେ ଏବର୍ଷ ୧୩୬ ମିଲିମିଟର କମ୍ ବର୍ଷା ରେକର୍ଡ ହୋଇଛି ।

ଗତ ୧୫ ଦିନ ହେଲା ବର୍ଷାର ଦେଖା ନାହିଁ, ପାଣି ଅଭାବରୁ ଧାନ ବିଲ ଫାଟି ଆଁ କରିଛି । ଆଉ ଫଟା ବିଲରେ ବସି ଚାଷୀ ବର୍ଷାକୁ ଅପେକ୍ଷା କରିଛି, ଆକାଶକୁ ଚାହିଁ ରହଛି, ବାଦଲମାନେ ଆକାଶରେ ଭାସି ଯାଉଛନ୍ତି କିନ୍ତୁ ବର୍ଷାର ଦେଖାନାହିଁ । ଫଳରେ ବହୁସ୍ଥାନରେ ପହ୍ଳା ରୁଆ କାମ ମଧ୍ୟ ଅଧାରେ ଅଟକିଛି । ଚାଷ କାମ ଆରମ୍ଭରୁ ବର୍ଷା ହୋଇଥିଲା, ଯାହାକୁ ଆଶ୍ରା କରି ଚାଷୀ ଧାନ ତଳି ଓ ବୁଣା କାମ କରିଥିଲେ । ହେଲେ ପରବର୍ତୀ ସମୟରେ ବର୍ଷା ଉଭାନ ସାଙ୍ଗକୁ ଉଠା ଜଳ ସେଚନ ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।

ସେହିପରି ଗଞ୍ଜାମ ଜିଲ୍ଲାର ବୁଗୁଡାରେ ବର୍ଷା ଅଭାବରୁ ଗଜା ମରୁଡିର ପଦଧ୍ୱନୀ ଦେଖିବାକୁ ମିଳିଲାଣି । ଏପଟେ ବର୍ଷା ନାହିଁ, ସେପଟେ ବୁଗୁଡାର ୮ ହଜାର ୩୬୭ ଏକର ଜମିକୁ ପାଣି ଯୋଗାଉଥିବା ବାଘୁଆ ଡ୍ୟାମ କେନାଲ ବି ଶୁଖିଲା ପଡିଛି । ଫଳରେ ତଳି ଜଳି ଗଲାଣି । ହେକ୍ଟର ହେକ୍ଟର ଜମି ଫାଟି ଆଁ କଲାଣି । ତଳି ବଞ୍ଚେଇ ରଖିବା ପାଇଁ କିଛି ଚାଷୀ ମଟର ଲଗାଇ, ନଳକୂଅରୁ ପାଣି ଆଣି ଜମିରେ ମଡାଉଛନ୍ତି ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଆଗକୁ ଯଦି ବର୍ଷା ନହୁଏ, ତେବେ ମରୁଡି ଆଶଙ୍କାକୁ ଏଡାଇବା ବିଲକୁଲ୍ ସହଜ ନୁହେଁ ।

ଆଗାମୀ ସପ୍ତାହେ ମଧ୍ୟରେ ବର୍ଷା ନହେଲେ ଧାନ ଫସଲ ନଷ୍ଟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଜଳସେଚନ ପ୍ରକଳ୍ପ ଗୁଡିକ କାମରେ ଆସୁନଥିବାରୁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।