ସିଲ୍କ ସିଟିରେ ପୁଣି ମର୍ଡର । ବସ୍ ହକରକୁ ଖଣ୍ଡାରେ ହାଣି ନିର୍ମମ ହତ୍ୟା ।

288

କନକ ବ୍ୟୁରୋ: ବ୍ରହ୍ମପୁରର ପୁଣି ମର୍ଡର । ସହରର ବଡବଜାର  ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଜଣେ ବସ ହକରକୁ ଖଣ୍ଡାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।  ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଫାଷ୍ଟଗେଟ୍ ଡୁଡୁମା କଲୋନୀ ନିକଟ ଆଚାର୍ଯ୍ୟ ବିହାରର ସନାତନ ଚୌଧୁରୀ ।

ସନାତମ ନୂଆ ବସଷ୍ଟାଣ୍ଡରେ ଜଣେ ବସ ହକର ଭାବେ କାମ କରନ୍ତି ।  ଗତକାଲି ରାତି ପ୍ରାୟ ୯ଟା ବେଳେ କାମ ସାରି ଘରକୁ ଫେରୁଥିବବେଳେ  ଘର ଠାରୁ ଅଳ୍ପଦୂରରେ ୨ରୁ ୩ ଜଣ ବ୍ୟକ୍ତି ସନାତନଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସନାତନଙ୍କ ମୃତ୍ୟୁ ହୋଇଥିଲା । ଖବରପାଇଁ ଟାଉନ ଏସଡିପିଓ, ବଡବଜାର ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ବି  ପୂର୍ବ ଶତ୍ରୁତାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।