କଂଗ୍ରେସ ନେତା ଅଜୟ ମାକେନଙ୍କ ଦାବି, ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ପାଇଁ ୪୫ ନୁହେଁ ଖର୍ଚ୍ଚ ହୋଇଛି ୧୭୧ କୋଟି ଟଙ୍କା

166

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ବିଜେପି ଠାରୁ ନେଇ କଂଗ୍ରେସ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କେଜ୍ରିୱାଲକୁ ଘେରିବାରେ ଲାଗିଛନ୍ତି ।

ଏହି କ୍ରମରେ ଆଜି କଂଗ୍ରେସ ନେତା ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, କେଜ୍ରିୱାଲ ନିଜକୁ ସାଧାରଣ ଲୋକ ବୋଲି ଦେଖେଇ ହେବାକୁ ନିଜ ସାଇଜ୍ ଠାରୁ ବଡ ସାଇଜର କପଡା ପିନ୍ଧୁଛନ୍ତି ଓ ଟଙ୍କିକିଆ କଲମ ପକେଟରେ ଲଗାଉଛନ୍ତି । ହେଲେ ନିଜ ପାଇଁ ମୁଖ୍ୟମନ୍ତ୍ରୀ ବାସ ଭବନ ନାମରେ ରାଜକୋଷରୁ ୧୭୧ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାକେନ ଦାବି କରିଛନ୍ତି କି କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀ ଆବାସ ମରାମତିରେ ୪୫ କୋଟି ଟଙ୍କା ନୁହେଁ ବରଂ ୧୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

କେବଳ ସେତିକି ନୁହେଁ ମାକେନ ଅଭିଯୋଗ କରିଛନ୍ତି ଯେ, କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀ ବାସଭବନ ବଢାଇବା ପାଇଁ ଅଧିକାରୀଙ୍କର ଘର ଭଙ୍ଗା ଯାଇଛି ଓ ଅଧିକାରୀଙ୍କ ପାଇଁ ୧୨୬ କୋଟି ଟଙ୍କାର ୨୧ଟି ଫ୍ଲାଟ କିଣାଯାଇଛି । ଏହି ଖର୍ଚ୍ଚକୁ ବି କେଜ୍ରିୱାଲଙ୍କ ବାସଭବନ ମରାମତି ଖର୍ଚ୍ଚସହ ଯୋଡା ଯିବାର ଆବଶ୍ୟକତା ରହିଛି ବୋଲି ଅଜୟ ମାକେନ ଦାବି କରିଛନ୍ତି ।