ସିବିଆଇର ତନାଘନା ଓ ଇଡିର ରେଡ : ଡିଟରଜେଣ୍ଟ ପାଉଡର୍ ବିଜ୍ଞାପନରେ ଫଟୋ ଲଗାଇ କେନ୍ଦ୍ର ସରକାରଙ୍କୁ ବିରୋଧ

1,233

କନକ ବ୍ୟୁରୋ : ସିବିଆଇ ଓ ଇଡିର ରେଡକୁ ବିରୋଧ । ବିହାର ଏବଂ ତେଲେଙ୍ଗାନାରେ ଲାଗିଲା ମୋଦୀ ବିରୋଧୀ ପୋଷ୍ଟର । ବିହାରରେ ଆରଜେଡି ପୋଷ୍ଟର ଲଗାଇଥିବା ବେଳେ ତେଲେଙ୍ଗାନାରେ ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି ଏହି ପୋଷ୍ଟର ଲଗାଇଛି । ବିହାରରେ ଲାଗିଥିବା ପୋଷ୍ଟରେ ଲେଖା ହୋଇଛି,କେନ୍ଦ୍ର ସରକାର ସିବିଆଇ ଏବଂ ଇଡିର ଦୂରୁପଯୋଗ କରନ୍ତୁ ନାହିଁ । ଦେଶକୁ ଲୁଟ୍ କରୁଥିବା ପୁଞ୍ଜିପତିଙ୍କୁ କେବେ ତଦନ୍ତ ପାଇଁ ସିବିଆଇ ଏବଂ ଇଡିକୁ ପଠାଇବେ ସରକାର । ପୋଷ୍ଟରରେ ଏପରି ଲେଖା ହୋଇଛି ।

ସେହିପରି ହାଇଦ୍ରାବାଦରେ ବିଆରଏସ ପୋଷ୍ଟର ଲଗାଇଛି । ଯେଉଁଥିରେ ବାଏ ବାଏ ମୋଦୀ ଲେଖା ହୋଇଛି । ସିଆଇଏସଫ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୃହମନ୍ତ୍ରୀ ଅମିତ ଶାହ ଆସିଛନ୍ତି । ଏହି ସମୟରେ ଏକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ୱାଶିଂ ପାଉଡର ନିର୍ମା ଓ ୱେଲକମ ଟୁ ଅମିତ ଶାହ ଲେଖା ହୋଇଛି । ଏହି ପୋଷ୍ଟରରେ କିନ୍ତୁ ବିଜେପିକୁ ଆମଦାନୀ ହୋଇଥିବା ନେତାଙ୍କ ମୁହଁର ଫଟୋ ରହିଛି । ଏହି ବିଜ୍ଞାପନ ଜରିଆରେ କୁହାଯାଇଛି ଯେ ଯେଉଁମାନେ ଦଳ ବଦଳ କରି ବିଜେପିରେ ସାମିଲ ହେଉଛନ୍ତି ତାଙ୍କ ବିରୋଧରେ କୌଣସି ରେଡ କିମ୍ବା ତଦନ୍ତ ହେଉ ନାହିଁ ।

ଯେଉଁଥିରେ ଶୁଭେନ୍ଦୁ ଅଧିକାରୀ, ହିମନ୍ତ ବିଶ୍ୱଶର୍ମା, ନାରାୟଣ ରାଣେଙ୍କ ଭଳି ନେତାଙ୍କ ନାଁ ଲେଖା ହୋଇଛି । ସେହିପରି ଏକ ରାବଣ ପୋଷ୍ଟର ଲାଗିଛି । ଯେଉଁଥିରେ ରାବଣର ଦଶଟି ମୁଣ୍ଡ ଜାଗାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ନା ଲେଖା ହୋଇଛି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାର ଉପରେ ରେଡ ହୋଇଛି । ସେହିପରି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ କବିତା ଇଡି ଜେରାର ସାମ୍ନା କରିଛନ୍ତି । ପୁଣିଥରେ ୧୬ ତାରିଖରେ ହାଜର ହେବାକୁ ଇଡି ନୋଟିସ୍ କରିଛି ।