ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେପି ଅଧ୍ୟକ୍ଷଙ୍କ ସମେତ ଅନେକ ନେତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କଲା ବିଭାଗ । ଜାଣନ୍ତୁ କାରଣ

177

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ବିଜୁଳି ବିଭାଗ ତରଫରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ, ବିଜେପି ପ୍ରଦେଶ ଅଧ୍ୟକ୍ଷ ରବିନ୍ଦ୍ର ରୈନା ଓ ବିଜେପିର ପୂର୍ବତନ ବିଧାୟକ ନୀଲମ ଲଂଗେହଙ୍କ ସମେତ ଜମ୍ମୁର ଅନେକ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି ।

ରବିନ୍ଦ୍ର ରୈନା ବେଆଇନ ଭାବେ ବିଜୁଳି ସଂଯୋଗ ନେଇଥିବାରୁ ତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ୪ଲକ୍ଷ ଟଙ୍କାର ବିଜୁଳି ବିଲ୍ ପୈଠ କରି ନଥିବାରୁ ତାଙ୍କର ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେହିଭଳି ଲଂଗେହ ୧ଲକ୍ଷ ଟଙ୍କା ବିଜୁଳି ବିଲ୍ ପୈଠ କରିନଥିବାରୁୁ ତାଙ୍କ ଘରର ସଂଯୋଗ ମଧ୍ୟ କାଟି ଦିଆଯାଇଛି ।

ବିଜୁଳି ବିଭାଗର ଏକ ଟିମ୍ ଶନିବାର ଦିନ ଏହି ଲୋକମାନଙ୍କର ବିଜୁଳି ସଂଯୋଗ କାଟିଦେଇଛନ୍ତି । ବିଜୁଳି ନିଗମ ପକ୍ଷରୁ ଆଦେଶ ଜାରି କରି କୁହାଯାଇଛି କି, ଏବେ ବିଜୁଳି ବିଲ୍ ବକେୟା ରଖିଥିବା ଅନ୍ୟ ନେତା ଓ ମନ୍ତ୍ରୀଙ୍କ ଘରୁ ମଧ୍ୟ ବିଜୁଳି ସଂଯୋଗ କାଟି ଦିଆଯିବ ।

ବିଜୁଳି ବିଭାଗର ବୟାନ ମୁତାବକ ଏପର୍ଯ୍ୟନ୍ତ ମୋଟ ୪୦୦ ଲୋକଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଏହାସହ ୪୦୦ କେଭିର ୨ଟି ଟ୍ରାନ୍ସଫରମରରୁ ମଧ୍ୟ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି ।