ସ୍କୁଲ ଗୃହରେ ପଡ଼ିଛି ଭଙ୍ଗା ମଦ ବୋତଲ ଓ ଗ୍ଲାସ୍, ବାହାରେ ଗଛମୂଳେ ଚାଲିଛି ପିଲାଙ୍କ କ୍ଲାସ । ଭୁବନେଶ୍ୱର ବରମୁଣ୍ଡାରୁ ଆସିଲା ଅଭାବନୀୟ ଚିତ୍ର

209

କନକ ବ୍ୟୁରୋ: ସ୍କୁଲ ଗୃହରେ ପଡ଼ିଛି ଭଙ୍ଗା ମଦ ବୋତଲ ଓ ଗ୍ଲାସ୍, ଆଉ ବାହାରେ ଗଛମୂଳେ ଚାଲିଛି ପିଲାଙ୍କ ପାଠପଢା । ଭୁବନେଶ୍ୱର ବରମୁଣ୍ଡାରୁ ଆସିଲା ଶିକ୍ଷାଦାନର ଅଭାବନୀୟ ଚିତ୍ର । ଅଭିଯୋଗ ଅନୁସାରେ କର୍ପୋରେଟରଙ୍କ ଏକ ବର୍ଷ ପୂର୍ତି ଉପଲକ୍ଷେ ସ୍କୁଲ ଘରେ ହୋଇଥିଲା ଉତ୍ସବ । ଯେଉଁଥି ପାଇଁ ଶ୍ରେଣୀଗୃହରେ ପଡିଛି ଭଙ୍ଗା ମଦ ବୋତଲ ଆଉ ଗ୍ଲାସ୍ । ତେବେ ସ୍କୁଲ ଘରେ ପାର୍ଟି କରିବାକୁ କିଏ ଦେଇଥିଲା ଅନୁମତି ଏହାକୁ ନେଇ ଉଠିଲା ପ୍ରଶ୍ନ ।

  • ଶ୍ରେଣୀଗୃହରେ ମଦ ଗ୍ଲାସ
  • ଗଛମୂଳେ ଚାଲିଛି କ୍ଲାସ

ସଭିଏଁ ପଢ଼ିବେ ସଭିଏଁ ବଢ଼ିିବେ । ସରକାରଙ୍କ ଏହି ମିଶନ ଅନେକ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିଛି । ହେଲେ ଖୋଦ ଭୁବନେଶ୍ୱର ବରମୁଣ୍ଡା ଗାଁରେ ଥିବା ସ୍କୁଲର କ୍ଲାସରୁମରେ ମଦ ବୋତଲ ।ଅନ୍ୟପଟେ ସ୍କୁଲ ଥାଇ ବି, କୁନି କୁନି ଛାତ୍ରଛାତ୍ରୀମାନେ ଖରାରେ କ୍ଲାସରୁମ ବାହାରେ ବସି ପାଠ ପଢ଼ୁଛନ୍ତି । କାହିଁକି ନା ସରକାର ଯୋଗାଇ ଦେଇଥିବା ଚକାଚକ ଶ୍ରେଣୀଗୃହରେ ମଦ ବୋତଲ ଭଙ୍ଗା ହୋଇପଡିଛି । ଏତେ କାଚ ଭଙ୍ଗା ହୋଇ ପଡିଛି ଯେ, ସ୍କୁଲ ଭିତରେ ପାଦ ଦେବା କଷ୍ଟକର ହୋଇଛି । ତେଣୁ ପିଲାମାନଙ୍କୁ ଶିକ୍ଷୟିତ୍ରୀ ଗଛମୂଳେ ଜରି ପକାଇ ପିଲାଙ୍କୁ ବସାଇ ପାଠ ପଢ଼ାଉଛନ୍ତି । ଶିକ୍ଷୟିତ୍ରୀ ବି ଖରାରେ ଛାତ୍ରଛାତ୍ରୀ ବି ଖରାରେ ।

ତେବେ କ୍ଲାସ ରୁମରେ ମଦ ବୋତଲ ପଡିବା ଘଟଣା ଆମ ପାଇଁ ନୂଆ ହୋଇଥାଇ ପାରେ, କିନ୍ତୁ ସେମାନଙ୍କ ପାଇଁ ନୁହେଁ । ବରଂ ବହୁବାର ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି । ତେବେ ଏହି ଘଟଣା ବାବଦରେ, ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ ।

  • ସ୍କୁଲରେ କ୍ୟାମ୍ପସରେ ମିଟିଂ
  • କ୍ଲାସରୁମରେ ପାର୍ଟି

ରବିବାର ସ୍କୁଲ ପରିସରରେ ଭୁବନେଶ୍ୱର ମହାନଗର ନିଗମର ୫୦ ନମ୍ବର ୱାର୍ଡର କର୍ପୋରେଟର ଏକ ବର୍ଷ ପୂର୍ତି ଉପଲକ୍ଷେ ଉତ୍ସବର ଆୟୋଜନ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିଯୋଗ ହେଉଛି, ଉତ୍ସବ ଶେଷ ହେବା ପରେ, ଲେଟ୍ ନାଇଟରେ ସ୍କୁଲ କ୍ୟାମ୍ପସରେ, ପାର୍ଟିର ଆୟୋଜନ କରାଯାଇଥିଲା । ତେବେ କର୍ପୋରେଟର କହିଛନ୍ତି, ମହିଳା ସମିତି ମିଟିଂ ଚାଲିଥିଲା ।

  • ସ୍କୁଲ କ୍ୟାମ୍ପସରେ କିଏ ଭାଙ୍ଗିଲା ମଦ ବୋତଲ?
  • କ୍ୟାମ୍ପସକୁ ବନାଇ ଦିଆଯାଇଥିଲା କି ପାର୍ଟି ହାଉସ୍?
  • କାହା ସାହାସରେ ଅସାମାଜିକ ଯୁବକ ଘଟାଉଛନ୍ତି ଏଭଳି କାଣ୍ଡ?