କନକ ବ୍ୟୁରୋ : ତହସିଲ ମାଧ୍ୟମରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବା ଦାବିରେ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଞ୍ଚର ରାଜ୍ୟ ଆବାହକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଉପଦେଷ୍ଟା ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଲେ ଯେ ଜମାକାରୀଙ୍କ କୌଣସି ଦଳ ନାହିଁ କି କିଛି ଜାତି ନାହିଁ। କ୍ଷତିଗ୍ରସ୍ତ ଜମାକାରୀଙ୍କ ଗୋଟିଏ ଦଳ ଓ ଗୋଟିଏ ଜାତି। ଜମାକାରୀଙ୍କ ଟଙ୍କାରେ ନେତା ମଉଜ ମଜଲିସ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଠକ ସଂସ୍ଥାର ମାଲିକମାନେ ମସ୍ତି କରିଛନ୍ତି । ତେଣୁ ପ୍ରତ୍ୟେକ ଜମାକାରୀଙ୍କୁ ତହସିଲ ମାଧ୍ୟମରେ ଚିହ୍ନଟ କରାଯାଉ ଓ କ୍ଷତିପୂରଣ ଟଙ୍କା ଦିଆଯାଉ । ବିଜେଡି ସରକାର ନିର୍ବାଚନ ସମୟରେ କର୍ପସ ପାଣ୍ଠି ଘୋଷଣା କରିଥିଲେ । ସେତେବେଳେ ପ୍ରଦୀପ ଅମାତ ଅର୍ଥମନ୍ତ୍ରୀ ଥିଲେ। ସେ ପାଣ୍ଠି କୁଆଡ଼େ ଗଲା ଓ କେତେ ଲୋକଙ୍କୁ ଟଙ୍କା ମିଳିଛି ଶ୍ରୀ ଅମାତ କହିପାରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ପ୍ରତି ଜମାକାରୀ ଆଉ ଦଶ ଜଣ ଜମାକରୀଙ୍କୁ ଚିହ୍ନଟ କରି ସଂଘବଦ୍ଧ ଭାବେ ଆନ୍ଦୋଳନ କରିବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ ।
ରାଜ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ ଯେ ସରକାର ଜାଣିଣୁଣି ଲୋକଙ୍କୁ ଟଙ୍କା ଫେରସ୍ତ କରୁନାହାନ୍ତି । ପ୍ରଶାସନ ସହିତ ରାଜନେତା ମାନେ ଜାଣିଶୁଣି ଏସବୁ କାମ କରିଥିବାରୁ ଏବେ କେବଳ ଲୋକଙ୍କୁ ଭୁଆଁ ବୁଲାଇ ରଖିଛନ୍ତି ବୋଲି କହିଥିଲେ। ଜମାକାରୀମାନେ ଘରେ ବସି ରହିଲେ ସମସ୍ୟାର ସମାଧାନ ହେବ ନାହିଁ ବରଂ ଶକ୍ତ ଲଢ଼େଇ କଲେ ଯାଇ ସରକାରଙ୍କ ଚେତା ପଶିବ ବୋଲି କହିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ କହିଥିଲେ ଯେ ବିଜେଡି ଓ ବିଜେପି ଉଭୟ ଦଳ ଜମାକାରୀଙ୍କ ଟଙ୍କା ହଡ଼ପ କରିଛନ୍ତି। ତେଣୁ ଜମାକାରୀମାନେ ଆଉ ଚୁପ ନବସି ଏବେ ଲଢ଼େଇ କରିବା ସହିତ ଅଦାଲତର ଆଶ୍ରୟ ନେବା ପାଇଁ ଆହ୍ଵାନ ଦେଇଥିଲେ ।
ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ କହିଲେ ଯେ ପ୍ରତ୍ୟେକ ଜମାକାରୀ ମଞ୍ଚର ସଭ୍ୟ ହୋଇ ଜାତୀୟ ଖାଉଟି ବିବାଦ ସମାଧାନ କମିସନରଙ୍କ ସର୍ବୋଚ୍ଚ ଅଦାଲତରେ ପ୍ରତି ଏକ ହଜାର ଟଙ୍କାର କ୍ଲେମ ପାଇଁ ଷ୍ଟାମ୍ପ ଡ୍ୟୁଟି ଓ ଷ୍ଟେସନାରି ଖର୍ଚ ବାବଦରେ ମାତ୍ର ତିନି ଟଙ୍କା ପଚାଶ ପଇସା ଦାଖଲ କରି ମୋକଦ୍ଦମା ଲଢ଼ି ପାରିବେ ବୋଲି ସୂଚନା ଦେଇଥିଲେ। ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି ଜମାକାରୀଙ୍କ ସମାବେଶର ଉଦ୍ଦ୍ୟେଶ ଜ୍ଞାପନ କରିଥିଲେ । ମଞ୍ଚର ଆବାହକ ଜୟନ୍ତ ଦାସ କହିଥିଲେ ଯେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରତି ତହସିଲରେ ଏହି ଆନ୍ଦୋଳନ କରାଯିବ । ଜମାକାରୀଙ୍କ ଟଙ୍କା ଫେରସ୍ତ ନହେଲେ ଆସନ୍ତା ଅଗଷ୍ଟ ୧୬ରୁ ନେତା ଓ ମନ୍ତ୍ରୀଙ୍କୁ ଘେରାଉ କରାଯିବ ବୋଲି କହିଥିଲେ ।
ଏହି ସମାବେଶରେ ବିଭୁଦତ୍ତ ମିଶ୍ର, ଫିରୋଜ ସାହୁ, ଚଣ୍ଡାଳ ପ୍ରଧାନ, ଅଶୋକ ସେଠୀ, ସୁଧାଂଶୁ ପ୍ରଧାନ, ସତ୍ୟବାନ ବେରିହା, ନିରାକାର ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ସୁଧାଂଶୁ ବାରିକ, ପ୍ରଦୀପ ଥାଟି, ଅଶୋକ ମେହେର, ପ୍ରଦୀପ ମହାକୁଡ଼, ବାପିନି ସେଠୀ, ରମାକାନ୍ତ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏ ଅବସରରେ ଏକ ଶୋଭାଯାତ୍ରା ରାମେଶ୍ୱର ମନ୍ଦିରରୁ ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲା । ଏଥିରେ ହଜାର ହଜାର ଜମାକାରୀ ସାମିଲ ହୋଇଥିଲେ । ଜିଲ୍ଲାପାଳ ଆଜି ଅନୁପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଅଫିସ୍ ଛାଡ଼ି କୁଆଡ଼େ ଚାଲି ଯାଇଥିଲେ । ଶେଷରେ ଉପଜିଲ୍ଲାପାଳ ନିମାଇଁ ଚରଣ ସୂତାର ଆସି ଦାବିପତ୍ର ଗ୍ରହଣ କରିଥିଲେ ।