ରାହୁଲ-ପ୍ରିୟଙ୍କାଙ୍କୁ ନେଇ ବିଜେପିର ବଡ ଦାବି । ବିଜେପି କହିଲା ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ । ଜବାବ ରଖିଲା କଂଗ୍ରେସ

157

କନକ ବ୍ୟୁରୋ: ବଂଶବାଦଠୁ ଆରମ୍ଭ କରି ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସ । ଏହା ଭିତରେ ପରମ ପ୍ରତିଦ୍ୱନ୍ଦୀ ବିଜେପି ଏକ ଭିଡିଓ ଜାରି କରି ନୂଆ ଦାବି କରିଛି । ଦଳ କହିଛି କଂଗ୍ରେସର ଦୁଇ ମୁଖ୍ୟ ଚେହେରା ତଥା ଭାଇଭଉଣୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । ରାଜନୈତିକ କ୍ଷମତା ପାଇଁ ଉଭୟଙ୍କ ମଧ୍ୟରେ କ୍ଷମତାର ଲଢେଇ ଚାଲିଛି । ସାଧାରଣ ଭାଇ ଭଉଣୀ ପରି ଏମାନଙ୍କ ମଧ୍ୟରେ ଭଲ ବୁଝାମଣା ନାହିଁ । ବାହାରକୁ ଉତ୍ତମ ସମ୍ପର୍କ ଥିବା ପରି ମନେ ହେଉଥିଲେ ବି ଦୁଇଜଣଙ୍କ ମଧ୍ୟରେ କିଛି ଠିକ ନାହିଁ । ବିଶେଷ କରି ଦଳରେ ପ୍ରିୟଙ୍କାଙ୍କ ଦବଦବା ଅଧିକ ରହିଛି ଓ ରାହୁଲଙ୍କୁ ପ୍ରାଧାନ୍ୟ ନିମିଳିବା ଭୟ ଘାରିଛି । ଏନେଇ ବିଜେପି ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛି ।

ଭିଡିଓରେ ଏକଥା ମଧ୍ୟ କୁହାଯାଇଛି କି ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରେ କିଛି ଭଲ ନଥିବା ଯୋଗୁଁ ଇଣ୍ଡିଆ ମେଣ୍ଟର କୌଣସି ବୈଠକରେ ପ୍ରିୟଙ୍କା ଆସି ନାହାଁନ୍ତି । କଂଗ୍ରେସ ଦଳର ପ୍ରଚାର ପାଇଁ ପ୍ରିୟଙ୍କାଙ୍କୁ ବ୍ୟବହାର କରୁଛି । ଯାହାର ଉଦାହରଣ ହେଉଛି ହିମାଚଳ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରିୟଙ୍କା ୨୮ଟି ରାଲି କରିବା ସତ୍ୱେ ରାହୁଲଙ୍କୁ ସବୁ ଶ୍ରେୟ ଦେଉଛି ଦଳ । ସେପଟେ ଟୁଇଟ କରି ବିଜେପି ଭିଡିଓର ଜବାବ ରଖିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍ ଏକ ଭିିଡିଓ ଓ କିଛି ଫଟୋ ଟୁଇଟ କରି କହିଛନ୍ତି ବିଜେପି ଭୀତିହୀନ ଦାବି କରି ଭାଇଭଉଣୀ ସମ୍ପର୍କ ଖରାପ କରିବାକୁ ଚାହୁଁଛି ।