ଗୌହାଟୀ ବୈଠକ ପରେ ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଓଡ଼ିଶାରେ ଗଠନ ହେବ ବିଜେପି ସରକାର ।

128

କନକ ବ୍ୟୁରୋ : ଗୌହାଟୀରେ ବିଜେପିର ମିଶନ୍ ‘୨୪’ ଚର୍ଚ୍ଚାରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ, ରାଜ୍ୟ ବିଜେପି ସଭାପତି ଏଭଳି କିଛି ଦାବି କରଛନ୍ତି, ଯାହା ରାଜ୍ୟ ରାଜନୀତିକୁ ପୁଣି ଥରେ ଚଳଚଂଚଳ କରିଦେଇଛି । ଓଡ଼ିଶା ଦଖଲ ପାଇଁ କେବଳ ଦାବି କରି ନାହାଁନ୍ତି ବରଂ ଏଥିପାଇଁ କ’ଣ ପ୍ରସଙ୍ଗ ହେବ ଏବଂ ଦଳୀୟ ରଣନୀତି କ’ଣ ରହିବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ମନମୋହନ ସାମିଲ । କହିଛନ୍ତି- ଦୁର୍ନୀତି, ଦାଦନ, ବିକାଶ ବାଟବଣା, ବେରୋଜଗାରୀ ଏବଂ ପର୍ଯ୍ୟଟନ ଆଦିକୁ ପ୍ରସଙ୍ଗ କରାଯିବ । ସେହିପରି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ଉପରେ ରହିବ ଦଳର ନଜର । କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶରେ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଥିବା କହିଛନ୍ତି ମନମୋହନ । କର ବା’ ମର ବା ମର ଆହ୍ୱାନ ନେଇ ଦଳ ୨୪ ଲଢ଼େଇରେ ଲଢ଼ିବ ବୋଲି କହିଛନ୍ତି ।

ଏପଟେ ମନମୋହନ ସାମଲଙ୍କ ଦମ୍ଭୋକ୍ତିକୁ ଅତି ହାଲୁକା ଭାବେ ନେଇଛି ଉଭୟ ବିଜେଡି ଓ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି- ବିଜେପି ୧୨୦ ଆସନର ନାରା ଦେଉଥିଲା । ଏବେ ୮୦କୁ ଖସିଲେଣି । ଆଗକୁ ୪୦ ହେବ କି ୨୦ ହେବ ସମୟ କହିବ । ସମାନ ଢଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି- ଓଡ଼ିଶାର ବାସ୍ତବତା ହେଉଛି ନବୀନ ପଟ୍ଟାନାୟକଙ୍କ ଉପରେ ଓଡ଼ିଆ ଲୋକଙ୍କ ଭରସା ରହିଛି    ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ବିଜେପି, ଦେଶବ୍ୟାପି ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଉଦ୍ୟମ ଜାରି ରଖିଛି । ଗୌହାଟୀ ବୈଠକ ପୂର୍ବରୁ ୪ଟି ରାଜ୍ୟର ସଭାପତି ପରିବର୍ତ୍ତନ କରିଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ୪ଟି ରାଜ୍ୟର ନିର୍ବାଚନୀ ପ୍ରଭାରୀ ନିଯୁକ୍ତ କରିଛି ।