କେବେ ସରିବ ଏକାମ୍ର ପ୍ରକଳ୍ପ କାମ? ପ୍ରକଳ୍ପ ସମୀକ୍ଷା କଲା ବିଜେପି ଟିମ୍ । ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ

154

କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ବିଜେପି ପ୍ରତିନିଧି ଦଳ । ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ତତ୍ୱାବଧାନରେ ପ୍ରକଳ୍ପର ସମୀକ୍ଷା ହୋଇଛି । ଲିଙ୍ଗରାଜ ମନ୍ଦିରର ଚାରିପାଖ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ତାର ତଦାରଖ କରିଛନ୍ତି ସ୍ଥାନୀୟ ବିଧାୟକ । ୧୫ ଏକର ଜାଗାରେ ତିଆରି ହେଉଥିବା ପାର୍କିିଂ ସ୍ଥଳ ବୁଲି ଦେଖିବା ସହ କେଉଁ ସ୍ଥାନରେ ଭେଣ୍ଡିଂ ଜୋନ ହେବ ସେନେଇ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି ।

  • କେବେ ସରିବ ଏକାମ୍ର ପ୍ରକଳ୍ପ କାମ?
  • ପ୍ରକଳ୍ପ ସମୀକ୍ଷା କଲା ବିଜେପି ଟିମ୍

ପାର୍କିଂ ସ୍ଥଳ ନିର୍ମାଣ ହେଲା ପରେ ଆଉ ମନ୍ଦିର ପାଖକୁ ଯିବ ନାହିଁ ଯାତ୍ରୀଙ୍କ ଗାଡି । ପାର୍କିଂ ସ୍ଥଳରୁ ବ୍ୟାଟେରୀ ଗାଡିରେ ମନ୍ଦିର ପାଖକୁ ଯିବେ ଶ୍ରଦ୍ଧାଳୁ । ଏହାସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ବସିପାରିବେ ସେଥିପାଇଁ ସ୍ୱତନ୍ତ୍ର ପ୍ଲାଜା ନିର୍ମାଣ କରାଯିବ । ଏହାସହ ଅନନ୍ତ ବାସୁଦେବ ମନ୍ଦିର ପଛପଟେ ମଧ୍ୟ ଗୋଟିଏ ପ୍ଲାଜା କରାଯିବ । ବର୍ତମାନ ସୁଦ୍ଧା ୪୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ସମସ୍ତ କାମ ସରିବ ବୋଲି ଆଶା ରଖିଛନ୍ତ ବିଧାୟକ ।

  • ଏକାମ୍ର ପ୍ରକଳ୍ପକୁ ନେଇ ରାଜନୀତି
  • ବିଜେପି- ବିଜେଡି ମୁହାଁମୁହିଁ

ଗୋଟିଏ ପଟେ ଏକାମ୍ର ପ୍ରକଳ୍ପ କାମ ସରୁନାହିଁ । ଆଉ ପ୍ରକଳ୍ପ ବିଳମ୍ବ ହେବାକୁ ନେଇ ବିଜେପି ପୂର୍ବ ବିଜେଡି ସରକାରଙ୍କୁ ଦାୟୀ କରିଛି । ଆଉ ଏହାର ପାଲଟା ଜବାବ ରଖିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା । ସରକାର ଆରୋପ ପ୍ରତ୍ୟାରୋପରୁ ବିରତ ରହି ତୁରନ୍ତ ଲିଙ୍ଗରାଜ ପ୍ରକଳ୍ପକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଅଶୋକ ପଣ୍ଡା ଦାବି କରିଛନ୍ତି ।

ଏକାମ୍ର ପ୍ରକଳ୍ପ ଆଳରେ ଲିଙ୍ଗରାଜ ମନ୍ଦିରର ଚାରିପଟେ ଅନେକ ଭଙ୍ଗାରୁଜା ହୋଇଛି । କିଛି ମଠ ମନ୍ଦିର ବି ଭାଙ୍ଗିଛି । ତେବେ ଆଗକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ଠିକା ସଂସ୍ଥାକୁ ସତର୍କ କରିଛି ବିଜେପି ପ୍ରତିନିଧି ଦଳ । ଲିଙ୍ଗରାଜ ମନ୍ଦିରର ଆଖାପାଖ ଅଞ୍ଚଳ ପାଇଁ ୨୦୨୦ରେ ତତକାଳୀନ ବିଜେଡି ସରକାର ଏକାମ୍ର ପ୍ରକଳ୍ପ ଭଳି ଡ୍ରିମ ପ୍ରୋଜେକ୍ଟର ପରିକଳ୍ପନା କରିଥିଲେ । ୪୭୬ ଏକର ଜମିକୁ ନେଇ ଏହି ପ୍ରକଳ୍ପ ହେବାର ଅଛି ।