ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣକୁ ନିନ୍ଦା : ବିଜେଡି ମହିଳା ମୋର୍ଚ୍ଚାର ଧାରଣା; ବିରୋଧୀ ଦଳ ନେତା ପଦରୁ ବହିଷ୍କାର ଦାବି

114

କନକ ବ୍ୟୁରୋ : ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିବା ଘଟଣାରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ ସଭା । ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ ଶତାଧିକ ମହିଳା ବିଜେଡି କର୍ମୀ ସାମିଲ ହୋଇଛନ୍ତି । ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଛନ୍ତି । ଏହା ସହ ଜୟନାରାୟଣ ମିଶ୍ରଙ୍କ କୁଶପୁତଳିକା ଦାହ କରାଯାଇଛି ।

ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ । ଯେତେବେଳେ ଜଣେ ଜନପ୍ରତିନିଧି ହେଇ ମହିଳାଙ୍କୁ ପ୍ରତି ଅସମ୍ମାନ କରିବେ ଏବଂ ଅପରାଧିକ ମାମଲାରେ ତାଙ୍କର ସମ୍ପୃକ୍ତି ରହିବ । ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସେପଟେ ସମ୍ବଲପୁର ସର୍କିଟ୍ ହାଉସ୍ ଘେରିଛନ୍ତି ବିଜେଡି କର୍ମୀ ।

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ ରାତିରେ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ବି.ଗଙ୍ଗାଧର ଧନୁପାଲି ଥାନାରେ ପହଂଚି ଆଲୋଚନା କରିଛନ୍ତି । ଘଟଣା ସଂପର୍କରେ ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ସହ ଆଇଜି ଓ ଏସପି କିଛି ସମୟ ଆଲୋଚନା କରି ପୁଣି ଫେରିଯାଇଥିବା ସୂଚନା ମିଳିଛି । ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ଧକ୍କା ମାରିଥିଲେ । ଏହା ପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ସମ୍ପୃକ୍ତ ମହିଳା ଅଧିକାରୀ । ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ଏହାକୁ ନେଇ ପୋଲିସ ଓ ଜୟନାରାଣ ମିଶ୍ର ମୁହାଁମୁହଁ ସ୍ଥିତି ଦେଖିବାକୁ ମିଳିଥିଲା । ଅନିତାଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର ଟାଉନ୍ ଥାନା ପୋଲିସ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ।