ଝାରସୁଗୁଡା ଉପ-ନିର୍ବାଚନ ପାଇଁ ସରିଲା ତାରିଖ ଘୋଷଣା । ବିଜେଡି ନେତା କହିଲେ, ଜିତିବ ବିଜେଡି । କଂଗ୍ରେସ ବିଧାୟକ କହିଲେ, ଲଢିବା ପାଇଁ ପ୍ରସ୍ତୁତ ।

251

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଆସନ୍ତା ମେ ୧୦ ତାରିଖରେ ହେବାକୁ ଯାଉଛି ଝାରସୁଗୁଡା ଉପ ନିର୍ବାର୍ଚନ ଭୋଟ୍ । ଆଉ ଏହା ପୂର୍ବରୁ ବିଜେଡି ନେତା ଦେଖାଇଛନ୍ତି ଦମ୍ଭୋକ୍ତି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ଝାରସୁଗୁଡା ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ । ବିଜେଡିକୁ ଭୋଟ ଦେବା ପାଇଁ ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ଭିତରେ ଲଢେଇ ହେବ ବୋଲି ବିଜେଡି ବିଧାୟକ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ସେପଟେ ଝାରସୁଗୁଡା ଉପ ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା କଥା, କଂଗ୍ରେସ ହେଉଛି ସର୍ବପୁରାତନ ଦଳ । ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ଅଛି । ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ, କଂଗ୍ରେସ ଦଖଲରେ ଥିବା ନିର୍ବାଚନ ମଣ୍ଡଳୀ ଭିତରୁ ଝାରସୁଗୁଡା ରହିଛି କହିଲେ ଭୁଲ ହେବନି ବୋଲି ନରସିଂହ କହିଛନ୍ତି । ଅନ୍ୟପଟେ ଏଥର ନିର୍ବାଚନରେ ଆଇନ ଶୃଙ୍ଖଳା ହେବ କଂଗ୍ରେସର ମୁଦ୍ଦା, ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ଯେଉଁ ଦଳ ସରକାର ଗଠନ କରିଛି ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ।.ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ, ଆଇନ ଶୃଙ୍ଖଳା ବିଗିଡିଯାଇଛି ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, କଂଗ୍ରେସ ସ୍ଥିତି ଝାରସୁଗୁଡାରେ ଭଲ ଅଛି । ପିସିସିଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଛି, ବିଧାନସଭା ସରିଲେ କମିଟିକୁ ନେଇକି ଯିବି । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ନବ ଦାସ କଂଗ୍ରେସ ବିଧାୟକ ଥିଲେ, ଏବଂ ୨୦୧୯ ରେ ସେ ବିଜେଡିକୁ ଯାଇଥିଲେ । ନବ ଦାସ ବିଜେଡି ଗଲାବେଳେ ତାଙ୍କ ସହ କଂଗ୍ରେସର ଯେତେ କର୍ମୀ ଥିଲେ ମ୍ୟୁନିସିପାଲିଟି ଏବଂ ବ୍ଲକରୁ ଆରମ୍ଭ କରି ସମସ୍ତଙ୍କୁ ସେ ବିଜେଡିକୁ ନେଇ ଯାଇଥିଲେ । ଏବେ ତାଙ୍କ ହତ୍ୟାପରେ କର୍ମୀମାନଙ୍କ ଘର ବାହୁଡା଼ ହେଉଛି । ଯାହା ଫଳରେ ସେଠି କଂଗ୍ରେସର ସ୍ଥିତି ସେଠି ଭଲ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।