ନିଜ ଦଳ ବିରୋଧରେ ବିଦ୍ରୋହ କରି ଗଠନ କଲେ ନୂଆ ଦଳ, ଜେଲରୁ ଆସିବା ପରେ ହେଲେ ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ ସିକ୍କିମରେ ଗଢିବାକୁ ଯାଉଛନ୍ତି ସରକାର । ଜାଣନ୍ତୁ, କିଏ ପ୍ରେମ ସିଂହ ତମାଙ୍ଗ?

1,540

କନକ ବ୍ୟୁରୋ: ସିକ୍କିମରେ ପୁଣିଥରେ ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ ସରକାର ଗଢିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଏଠାରେ ୩୨ ସିଟରୁ ୩୧ଟି ସିଟରେ ଦଳ କ୍ଲିନ୍ ସ୍ୱିପ୍ କଲା ଭଳି ଟ୍ରେଣ୍ଡ ସାମ୍ନାକୁ ଆସୁଛି । କେବଳ ଗୋଟିଏ ସିଟରେ ବର୍ତ୍ତମାନ ସୁଦ୍ଧା ଏସଡିଏଫର ପ୍ରାର୍ଥୀ ଆଗୁଆ ଅଛନ୍ତି । ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ପୁଣିଥରେ ଏଠାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସରକାର ଗଢେ, ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ପ୍ରେମ ସିଂହ ତମାଙ୍ଗ । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ।

ପ୍ରେମ ସିଂହ ତମାଙ୍ଗ କିଏ?

ଚାମଲିଙ୍ଗଙ୍କ ଏସଡିଏଫ ଦଳରେ ଜଣେ ଟାଣୁଆ ନେତା ଥିଲେ ପ୍ରେମ ସିଂହ ତମାଙ୍ଗ । ହେଲେ ୨୦୧୩ ମସିହାରେ ନିଜ ଦଳ ବିରୋଧରେ ବିଦ୍ରୋହ କରି ନିଜ ଦଳ ଗଢିଥିଲେ ତମାଙ୍ଗ । ଏସଡିଏଫ ବିରୋଧରେ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ଅଭିଯୋଗ ଆଣିଥିଲେ ତମାଙ୍ଗ । ଆଉ ଦଳ ଗଠନର ଗୋଟିଏ ବର୍ଷ ପରେ ହିଁ ବିଧାନସଭା ନିର୍ବାଚନରେ ସେ ସଫଳତା ପାଇବା ସହିତ ୧୦ଟି ସିଟ୍ ଜିତିବାକୁ ସକ୍ଷମ ହେଇଥିଲେ ।

୧୯୬୮ ମସିହା ଫେବ୍ରୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରେମ ସିଂହ ତମାଙ୍ଗ ଦାର୍ଜିଲିଂର ଏକ କଲେଜରୁ ବିଏ ପାସ୍ କରିଥିଲେ । ଏହାପରେ ସେ ଏକ ସରକାରୀ ସ୍କୁଲରେ ଶିକ୍ଷକ ଭାବେ କାମ କରିବା ଆରମ୍ଭ କରିଥିଲେ । ହେଲେ ସେତେବେଳେ ସମାଜସେବା ପାଇଁ ସେ ମାତ୍ର ୩ ବର୍ଷ ପରେ ସେ ସରକାରୀ ଚାକିରି ଛାଡି ଦେଇଥିଲେ । ତେବେ ୧୯୯୪ ମସିହାରୁ ସେ ଲଗାତାର ୫ଥର ସିକ୍କିମ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଏମିତିକି ୨୦୦୯ରେ ସେ ଏସଡିଏଫ୍ ସରକାରରେ ମନ୍ତ୍ରୀ ରହିଥିଲେ ।

ଏସଡିଏଫ୍ ସରକାରର ଚତୁର୍ଥ କାର୍ଯ୍ୟକାଳ(୨୦୦୯-୧୪)ରେ ଚାମଲିଙ୍ଗ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ମନା କରିଦେଇଥିଲେ । ଆଉ ଏହାପରେ ପ୍ରେମ ସିଂହ ତମାଙ୍ଗ ଦଳ ଛାଡିଦେବା ସହ ନିଜ ଦଳ ଗଢିଥିଲେ । ଏସଡିଏଫର ସବୁ ପଦରୁ ଇସ୍ତଫା ଦେବା ସହିତ ଏସକେଏମ୍ ଦଳର ମୁଖିଆ ହେଇଥିଲେ ପ୍ରେମ ସିଂହ ତମାଙ୍ଗ ।

୨୦୧୬ରେ ଯାଇଥିଲେ ଜେଲ୍

୨୦୧୬ ମସିହାରେ ତମାଙ୍ଗ ସରକାରୀ ପଇସା ହେରଫେର୍ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ସହିତ, ତାଙ୍କ ବିଧାନସଭା ସଦସ୍ୟତା ମଧ୍ୟ ରଦ୍ଦ କରିଦିଆଯାଇଥିଲା । ଏହାପରେ ସେ ସିକ୍କିମ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ । ହେଲେ ହାଇକୋର୍ଟ ମଧ୍ୟ ରାୟକୁ କାଏମ୍ ରଖିଥିଲେ । ଯାହା ପରେ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ତେବେ ୨୦୧୮ରେ ସେ ଜେଲରୁ ବାହାରିଥିଲେ । ଆଉ ସେତେବେଳେ ତାଙ୍କର ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ ।

୨୦୧୯ ମସିହା ସିକ୍କିମ ବିଧାନସଭା ନିର୍ବାଚନରେ ପ୍ରଥମ କରି ସତ୍ତାକୁ ଆସିଥିଲେ ପ୍ରେମ ସିଂହ ତମାଙ୍ଗ । ଦୀର୍ଘ ବର୍ଷର ଚାମଲିଙ୍ଗ ସରକାରକୁ ହରେଇ ସେ ସରକାର ଗଠନ କରିଥିଲେ । ୨୦୧୯ରେ ସେ ୧୭ଟି ସିଟ୍ ଜିତିବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଆଉ ଏଥର ସେ ୩୨ରୁ ୩୧ ଆସନ ଜିତିପାରନ୍ତି ବୋଲି ଟ୍ରେଣ୍ଡରୁ ଅନୁମାନ କରାଯାଉଛି ।