ଫଳାଫଳ ପୂର୍ବରୁ ତାରାଙ୍କ ବଡ ବୟାନ । କହିଲେ, ୯ରୁ ୯୦ ହୋଇନପାରେ କିନ୍ତୁ ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ କରିଛି କଂଗ୍ରେସ ।

1,109

କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମର ବୁଥ୍ ବାହୁଡା ମତକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ଓଡ଼ିଶାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଦେଇଛନ୍ତି ବଡ ବୟାନ । ତାରା କହିଛନ୍ତି, ରାଜ୍ୟରେ ଏଥର କଂଗ୍ରେସର ୯ରୁ ୯୦ ହୋଇନପାରେ କିନ୍ତୁ ଦଳ ଭଲ ପ୍ରଦର୍ଶନ କରିବ । କୋରାପୁଟରେ କଂଗ୍ରେସ ସାଂସଦ ନିଶ୍ଚୟ ଜିତିବେ । ସମସ୍ତ କଂଗ୍ରେସ କର୍ମୀ ଓ ନେତା ତାଙ୍କୁ ସହଯୋଗ କରିଛନ୍ତି ।

ସେହିଭଳି ବୁଥ୍ ବାହୁଡା ମତକୁ ନେଇ ତାରା କହିଛନ୍ତି, ଉଭୟ ବିଜେଡି ଓ ବିଜେପି ନିଜ ନିଜ କଥା କହୁଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ କମଜୋର ହୋଇନି ବରଂ ଭଲ ପ୍ରଦର୍ଶନ କରିଛି । ୨୦୧୯ ଅପେକ୍ଷା ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଚଳିତ ନିର୍ବାଚନରେ ସରକାରୀ କଳ, ବାହୁବଳର ବ୍ୟବହାର ବହୁଳ ମାତ୍ରାରେ ହୋଇଛି ।

ଏହାସହ ତାରା ବାହିନୀପତି କହିଛନ୍ତି, ଏଗଜିଟ୍ ପୋଲରେ ଯେଉଁ ଫଳାଫଳ ଦେଖାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । କେନ୍ଦ୍ରରେ ଚଳିତ ନିର୍ବାଚନରେ ୨୯୦-୨୯୫ ଆସନ ହାତେଇବ ଇଣ୍ଡିଆ ମେଣ୍ଟ । ଯେଉଁଥିରେ ଓଡ଼ିଶାର ୪ରୁ ୫ ସାଂସଦ ପାଇବ କଂଗ୍ରେସ । କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ନିଶ୍ଚିତ ସରକାର ଗଢିବ ବୋଲି କହିଛନ୍ତି ତାରା । ବିଧାନସଭା କ୍ଷେତ୍ରରେ କଂଗ୍ରେସ ଭଲ ଆସନ ପାଇବ । ଟାଉନ ଭୋଟ ବିଜେପିକୁ ଏବଂ ଗ୍ରାମାଞ୍ଚଳ ଭୋଟ ବିଜେଡି ଓ କଂଗ୍ରେସକୁ ଆସିଛି । ଉଭୟ ଦଳ ମଧ୍ୟରେ ଗ୍ରାମାଞ୍ଚଳରେ କଡା ଟକ୍କର ରହିଛି ।

ସେହିଭଳି ତାରା କହିଛନ୍ତି, ୨୧୦୯ ତୁଳନାରେ ୨୦୨୪ରେ ହିଂସାକାଣ୍ଡ ବଢିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ହୋଇନଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରୁ ହିଂସାକାଣ୍ଡ ଆରମ୍ଭ ହୋଇଛି, ଯାହା ଏବେ ପର୍ଯ୍ୟନ୍ତ ଚାଲିଛି । ମାତ୍ରାଧିକ ଅର୍ଥ ପାଇଁ ହିଂସାକାଣ୍ଡ ଦେଖାଦେଇଛି । ବିଜେପି ଓ ବିଜେଡି ପ୍ରଚୁର ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଭିତରେ କଂଗ୍ରେସ କେଉଁଠାରେ ଗଣ୍ଡଗୋଳ କରିନାହିଁ ବୋଲି କହିଛନ୍ତି ତାରା ।