ୟୁଟ୍ୟୁବର ଧ୍ରୁବ୍ ରାଠୀଙ୍କ ବିରୋଧରେ ସ୍ୱାତୀ ମାଲିୱାଲଙ୍କ ବଡ ବୟାନ । କହିଲେ, ନିଜକୁ ସ୍ୱତନ୍ତ୍ର ସାମ୍ବାଦିକ କହୁଥିବା ଧ୍ରୁବ୍ ରାଠୀ ଆପ୍ ନେତାଙ୍କ ଘନିଷ୍ଠ ।

350

କନକ ବ୍ୟୁରୋ: ୟୁଟ୍ୟୁବର ଧ୍ରୁବ୍ ରାଠୀଙ୍କୁ ନେଇ ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ବଡ ବୟାନ । ସ୍ୱାତୀ ଦାବି କରିଛନ୍ତି ଯେ, ନିଜକୁ ସ୍ୱତନ୍ତ୍ର ସାମ୍ବାଦିକ କହୁଥିବା ୟୁଟ୍ୟୁବର୍ ଧ୍ରୁବ୍ ରାଠୀ ଅସଲରେ ଆପ୍ ନେତାଙ୍କ ଘନିଷ୍ଠ । ତେବେ ସ୍ୱାତୀ ଏହା ମଧ୍ୟ କହିଛନ୍ତି ଯେ, ଧ୍ରୁବ୍ ରାଠୀ ତାଙ୍କ ବିରୋଧରେ ଏକତରଫା ଭିଡିଓ ପ୍ରସ୍ତୁତ କରି ଏହାକୁ ୟୁଟ୍ୟୁବରେ ସେୟାର କରିଛନ୍ତି । ଯାହା ପରେ ତାଙ୍କୁ ଲଗାତାର ଦୁଷ୍କର୍ମ ଏବଂ ହତ୍ୟା କରିବା ନେଇ ଧମକ ମିଳୁଛି ।

ସୂଚନାଯୋଗ୍ୟ ଯେ, ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଥିବା ବିଭବ କୁମାରଙ୍କ ବିରୋଧରେ ମାରପିଟ୍ ଅଭିଯୋଗ ଆଣିଥିଲେ । ଯାହାପରେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । ଆଉ ଏହାରି ଭିତରେ ପୁଣି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏହି ଆପ୍ ସାଂସଦ ।

ତେବେ ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଥିବା ସ୍ୱାତୀ ମାଲିୱାଲ ଦାବି କରିଛନ୍ତି ଯେ, ଧ୍ରୁବ୍ ରାଠୀ ଅସଲରେ ଆମ୍ ଆଦମୀ ପାର୍ଟି ସହ ଜଡିତ ଅଛନ୍ତି । ଏମିତି କି ସେ ଦଳ ପାଇଁ ଭଲ୍ୟୁଣ୍ଟର ମଧ୍ୟ ରହିସାରିଛନ୍ତି । ତା ସହିତ ସେ ଦଳର କିଛି ନେତାଙ୍କ ସହ ଘନିଷ୍ଠ । ପୂର୍ବରୁ ମଧ୍ୟ ତାଙ୍କ କାମକୁ ସେ ପସନ୍ଦ କରୁଥିଲେ, ହେଲେ ଏବେ କରୁନାହାଁନ୍ତି ବୋଲି କହିଛନ୍ତି ସ୍ୱାତୀ ମାଲିୱାଲ । ତେବେ ସ୍ୱାତୀଙ୍କ ଏହି ଅଭିଯୋଗ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ଧ୍ରୁବ୍ ରାଠୀ । ଅନ୍ୟପଟେ ସ୍ୱାତୀଙ୍କ କହିବା କଥା ହେଲା, ଧ୍ରୁବ୍ ରାଠୀଙ୍କ ଭିଡିଓ ପରେ ତାଙ୍କୁ ଲଗାତାର ଦୁଷ୍କର୍ମ ଏବଂ ହତ୍ୟା କରିବାର ଧମକ ମିଳୁଛି ।