କୃଷକଙ୍କ ହକ୍ ନେଇ ଦିଲ୍ଲୀରେ ଗର୍ଜନ ! ବିଜେଡ଼ି କହିଲା, କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାନ୍ତି

158

କନକ ବ୍ୟୁରୋ : କୃଷକଙ୍କ ହକ୍ ନେଇ ଦିଲ୍ଲୀରେ ଗର୍ଜିଛି ବିଜେଡ଼ି । ଦିଲ୍ଲୀ ଦରବାରରେ ଦମ୍ ଦେଖାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଦିଲ୍ଲୀ ଦରବାରରେ ବିଶାଳ କୃଷକ ଅଧିକାର ସମାବେଶ ଆୟୋଜନ କରିଛି ବିଜୁ ଜନତା ଦଳ। ଦିଲ୍ଲୀର ସମାବେଶରେ ସାମିଲ ହୋଇଛନନ୍ତି ବିଜେଡ଼ିର ସାଂସଦ, ବିଧାୟକ ଓ ନେତା । ସମାବେଶରେ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଛନ୍ତି । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର ବିଜେଡି ସମର୍ଥକଳ ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଅଧିକାରୀମାନେ ଏକାଠି ହୋଇଛନ୍ତି। ଆଉ ଏହାର ନେତୃତ୍ୱ ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି । ଏହି ବିଶାଳ କୃଷକ ଅଧିକାର ସମାବେଶରେ ଯୋଗ ଦେଇ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର୨୦୧୪ ମସିହା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୁତି ମୁତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନକରି ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସହିତ ପ୍ରତାରଣା କରିଛନ୍ତି । ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ଲେଖାଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍ ବସିଛନ୍ତି  ।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ କେନ୍ଦ୍ର ସହଯୋଗ କରୁନି ବୋଲି ଅଭିଯୋଗ ହୋଇଛି । ଓଡ଼ିଶାର ଦାବି ପ୍ରତି କେନ୍ଦ୍ରର ସହାନୁଭୁତି ଦେଖାଯାଉନାହିଁ । ରାଜ୍ୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ମୋଦିଙ୍କ ପାଖରେ ୫ ମିନିଟ ବି ସମୟ ନାହିଁ । ହେଲେ ଏନେବ ନିର୍ବାଚନୀ ଋତୁ ପାଖେଇ ଆସୁଥିବା ବେଳେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି ସରକାର । ବିଜେଡ଼ି କହିଛି ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ ଦିଲ୍ଲୀରୁ ପଲ୍ଲୀଯାଏ ହେବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବା ପାଇଁ ମୋଦି ସରକାର କହିଥିଲେ କିନ୍ତୁ କଲେ ନାହିଁ । ଯଦି ଦାବି ପୂରଣ ନକରିବେ ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ।